ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଦିଲ୍ଲୀରେ ବାଧ୍ୟତାମୂଳକ ସଂଘରୋଧ ବ୍ୟବସ୍ଥା : ବିମାନବନ୍ଦର ପାଖ ହୋଟେଲରେ କ୍ୱାରେଂଟାଇନରେ ରହିବେ

99

କନକ ବ୍ୟୁରୋ : ଭାରତରେ ମୋଟ ଓମିକ୍ରମ ସଂକ୍ରମିତଙ୍କ ସଂଖ୍ୟା ୭ଶହ ୧୭ରେ ପହଂଚିଛି । ଦିଲ୍ଲୀରୁ ନୂଆ ୨୩ ଓମିକ୍ରମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁରୁ ୧୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଂଚିଛି । ଏଥିସହିତ ତେଲେଙ୍ଗାନାରୁ ୭, ଗୁଜୁରାଟରୁ ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୬୫ରେ ପହଂଚିଛି ।

ଯାହା ମହାରାଷ୍ଟ୍ର ଠାରୁ ମାତ୍ର ଦୁଇଟି କମ ଅଛି । ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ କୋଭିଡ କଟକଣା କଡାକଡି କରିଦିଆଯାଇଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ବମାନ ବନ୍ଦର ପାଖ ହେଟେଲରେ ବାଧ୍ୟତାମୂଳକ ସଂଘରୋଧରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା କରୋନା ଏହି ନୂଆ ପ୍ରଜାତିର ସଂକ୍ରମଣକୁ ରୋକାଯାଇପାରିବ ବୋଲି କୁହାଯାଉଛି ।

ସେପଟେ, ସଂକ୍ରମଣ ବଢ଼ିବାରୁ ଦିଲ୍ଲୀରେ ଆଜିଠାରୁ ‘ୟେଲୋ ଆଲର୍ଟ’ ଜାରି ହୋଇଛି । ଏହି ୟେଲୋ ଆଲର୍ଟ ଅଧୀନରେ ଦିଲ୍ଲୀରେପୁଣିଥରେ କଟକଣା ଫେରିଛି । ଦିଲ୍ଲୀରେ ଏଣିକି ଘରୋଇ ଅଫିସ୍‌ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ମଲ୍‌ ଏବଂ ଦୋକାନ ଗୁଡ଼ିକ ଯୁଗ୍ମ -ଅଯୁଗ୍ମ ଆଧାରରେ ଚାଲିବ । ସେହିପରି ବିବାହ ଉତ୍ସବରେ କେବଳ ୨୦ ଲୋକ ଯୋଗ ଦେଇପାରିବେ ।

ଦିଲ୍ଲୀରେ ଲାଗୁ ହୋଇଥିବା ଅନ୍ୟାନ୍ୟ ନୂଆ ନିୟମ ଗୁଡ଼ିକ ହେଉଛି :
– ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ହେବ।
– ଘରୋଇ ଅଫିସ୍‌ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଅନ୍ୟ ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା ସଂସ୍ଥା ତଥା ହସ୍ପିଟାଲ୍‌, ଗଣମାଧ୍ୟମ ସଂସ୍ଥା, ବ୍ୟାଙ୍କ୍‌, ଇନସୁରାନ୍ସ କମ୍ପା‌ନି ଏବଂ ଟେଲିକମ୍‌ ସେବା ଯୋଗାଉଥିବା କମ୍ପାନି ଗୁଡ଼ିକ ଏହି ନିୟମ ଅଧୀନରେ ଆସିବ ନାହିଁ
– ବିବାହ ଉତ୍ସବରେ କେବଳ ୨୦ ଲୋକଙ୍କ ସମାଗମ ହୋଇପାରିବ। କେବଳ ଘରେ ଏବଂ କୋର୍ଟରେ ବିବାହ ପାଇଁ ଅନୁମତି। ସେହିପରି ଅନ୍ତ୍ୟେଷ୍ଟି ପାଇଁ ୨୦ ‌ଲୋକଙ୍କୁ ଅନୁମତି ମିଳିଛି
– ସକାଳ ୧୦ରୁ ସନ୍ଧ୍ୟା ୮ମଧ୍ୟରେ ଯୁଗ୍ମ ଅଯୁଗ୍ମ ଆଧାରରେ ମଲ୍‌ ଏବଂ ଦୋକାନ ଖୋଲିବ
– ସିନେମା, ମଲ୍ଟିପ୍ଲେକ୍ସ ଏବଂ ଜିମ୍‌ ପୁଣିଥରେ ବନ୍ଦ ହେବ। ସ୍କୁଲ୍‌ ଏବଂ କଲେଜ୍‌ ବନ୍ଦ ରହିବ
– ରାତି ୧୦ଟାରେ ରେସ୍ତୋରାଁ ଏବଂ ବାର୍‌ ବନ୍ଦ ରହିବ।
– ଦିଲ୍ଲୀ ମେ‌ଟ୍ରୋ ବି ଅଧା କ୍ଷମତାରେ ଚାଲିବ
– ସାଲୁନ, ପାର୍ଲର ଖୋଲିବ। ସ୍ପା ଏବଂ ୱେଲନେସ୍‌ କ୍ଲିନିକ ବନ୍ଦ ରହିବ
– ରାଜନୈତିକ , ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବନି
– ପାର୍କ ଖୋଲା ରହିବ । ପିକ୍‌ନିକ୍‌ ଓ ଏକାଧିକ ଲୋକଙ୍କ ସମାଗମ ପାଇଁ ବାରଣ କରାଯାଇଛି