ସଂସଦ ଭବନ ବାହାରେ ଉଭୟ ଶାସକ ଓ ବିରୋଧୀଙ୍କ ପ୍ରତିବାଦ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି; ସେପଟେ ରାଜସ୍ଥାନ ପ୍ରସଙ୍ଗ ଉଠାଇ ବିଜେପି ସାଂସଦଙ୍କ ଧାରଣା

78

କନକ ବ୍ୟୁରୋ : ସଂସଦ ଭବନ ବାହାରେ ଏକାଠି ହେଲେ ବିରୋଧୀ । ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବ ଲୋଡିଛନ୍ତି ବିରୋଧୀ । ସଂସଦରେ ମୋଦୀ ଏହି ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳର ସାଂସଦ । ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଇଣ୍ଡିଆ ମେଂଟରେ ଥିବା ସମସ୍ତ ଦଳର ସାଂସଦ ପ୍ରଥମ ଥର ପାଇଁ ସଂସଦ ଭବନ ପରିସରରେ ଏକାଠି ହୋଇଛନ୍ତି । ଆଉ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ମଣିପୁର ହିଂସାକୁ ୨ ମାସରୁ ଅଧିକ ଦିନ ବିତିଛି ।

ମୋଦୀ ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ଆରମ୍ଭ ଦିନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ନିନ୍ଦା କରିଥିଲେ । ଆଉ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିିଥିଲେ । ଏଥିସହ ଦେଶରେ ବିଭିନ୍ନ ସମୟରେ ବଢୁଥିବା ହିଂସା କଥା ଉଠାଇଥିଲେ । କିନ୍ତୁ ବିରୋଧୀ ଏହି ପ୍ରସଙ୍ଗରେ ଗୃହରେ ମୋଦୀଙ୍କ ଜବାବ ଲୋଡିଛନ୍ତି । ଗତ ସପ୍ତାହରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ରାଜି । ବାଚସ୍ପତି ତାରିଖ ସ୍ଥିର କରିବେ । ଗୃହମନ୍ତ୍ରୀ ଏ ବାବଦରେ ଉତର ରଖିବେ । ବିରୋଧୀ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଉତର ଦାବି କରି ଅଡି ବସିଛନ୍ତି ।

ସେପଟେ ମହିଳା ନିର୍ଯାତନା କଥା କହି ବିରୋଧୀ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସକୁ ଘେରିଛି ବିଜେପି । ସଂସଦର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପି ସାଂସଦ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ପଶ୍ଚିମବଙ୍ଗରେ ମହିଳାଙ୍କୁ ନିର୍ଯାତନା ଓ ରାଜସ୍ଥାନରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର କଥା କହି ବିଜେପି ସାଂସଦ ମାନେ ପ୍ରତିବାଦ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ହେଉ ଅବା ବିରୋଧୀ ମହିଳା ନିର୍ଯାତନା କଥା କହି ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି । କିନ୍ତୁ ନିଜ ନିଜ ରାଜ୍ୟରେ ହେଉଥିବା ମହିାଳା ନିର୍ଯାତନା ବାବଦରେ କିଛି ସ୍ପଷ୍ଟ କରୁ ନାହାନ୍ତି ।