ଜେଇଇ ଢାଞ୍ଚାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା : ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପରୀକ୍ଷା ଓ ନାମଲେଖାରେ ହେବ ପରିବର୍ତ୍ତନ

77

କନକ ବ୍ୟୁରୋ : ଏଣିକି ଜେଇଇ ଢାଞ୍ଚାରେ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷରୁ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖାରେ ପରିବର୍ତ୍ତନ କରାଯିବ । କେଉଁ ପଦ୍ଧତିରେ ନାମଲେଖା ହେବ ତାହା ସ୍ଥିର ହୋଇନଥିଲେ ବି ସର୍ବଭାରତୀୟସ୍ତରରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ହେଉଥିବା ଜେଇଇ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏଥିପାଇଁ ତିନିଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ କମିଟି ଗଠନ କରଯାଇଛି ।

ଉକ୍ତ କମିଟିର ରିପୋର୍ଟ ଆଧାରରେ ପିଜି ନାମଲେଖା ଢାଞ୍ଚା ପ୍ରସ୍ତୁତ କରାଯିବ ବୋଲି ଗତମାସ ପୁରୀ ହୋଇଥିବା ଅନୁଷ୍ଠିତ କୁଳପତିମାଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏକକ ପିଜି ପ୍ରବେଶିକା ପରୀକ୍ଷା ଓ ନାମଲେଖା ପ୍ରକ୍ରିୟାରେ ସମସ୍ୟା ଯୋଗୂ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଠି ପଢିବାକୁ ପିଲାଙ୍କ ଆଗ୍ରହ ଅଛି ସେଠାରେ ସେମାନଙ୍କୁ ସିଟ୍ ମିଳିନାହିଁ । ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢିବାକୁ ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ କଲେଜରେ ସିଟ୍ ମିଳିଛି । ତେବେ ନୂଆ ଢାଞ୍ଚାରେ ପରୀକ୍ଷା ହେଲେ ଏସବୁ ସମସ୍ୟା ଦେଖିବାକୁ ମିଳିବ ନାହିଁ ବୋଲି ଆଶା କରାଯାଉଛି ।