ବଦଳିଲା ହାଇସ୍କୁଲ ୟୁନିଫର୍ମ : ଅଗଷ୍ଟ ୧୫ରେ ବଣ୍ଟନ ହେବ ନୂଆ ୟୁନିଫର୍ମ; ସପ୍ତାହକୁ ଦିନେ ପିନ୍ଧିବେ ଟି- ସାର୍ଟ ଓ ଟ୍ରାକ ପ୍ୟାଣ୍ଟ

2,255

କନକ ବ୍ୟୁରୋ : ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ହଂଟର ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସରେ ଏକ ଲୋଗୋ ‘ଆମେ ଗଢିବୁ ନୂଆ ଓଡ଼ିଶା’ ରହିବ । ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ । ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ ।

ଛାତ୍ରଛାତ୍ରୀଙ୍କ ପାଇଁ ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ ହୋଇଛି । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଏହାକୁ ବଣ୍ଟନ କରାଯିବ । ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ନୂଆ ୟୁନିଫର୍ମ ବଣ୍ଟନ ହେବ । ଏଥିପାଇଁ ସରକାର ଜଣେ ପିଲା ପିଛା ୧ ହଜାର ଟଙ୍କା ବହନ କରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ ୨ ହଳ ୟୁନଫର୍ମ, ହଳେ ଟି ସାର୍ଟ ଓ ଟ୍ରାକ୍ ପ୍ୟାଣ୍ଟ, ହଳେ ଜୋତା, ୨ ହଳ ମୋଜା ସହ ଟୋପି ଦିଆଯିବ । ଦୁଇ ହଳ ୟୁନିଫର୍ମ ପାଇଁ ୫୫୦ ଟଙ୍କା, ଗୋଟିଏ ହଳ ଜୋତା ଓ ୨ ହଳ ମୋଜା ପାଇଁ ୨ ଶହ ଟଙ୍କା, ଟି-ସାର୍ଟ ପାଇଁ ୧୨୫ ଟଙ୍କା, ଟ୍ରାକ୍ ପ୍ୟାଣ୍ଟ ପାଇଁ ୧୨୫ ଟଙ୍କା ଖର୍ଚ୍ଚ ହେବ ।