ସ୍ୱାଭାବିକ ଭାବେ କାମ କରୁଛି ଚନ୍ଦ୍ରଯାନ-୩ । ମାସକ ପରେ ଚନ୍ଦ୍ର କକ୍ଷପଥରେ କରିବ ପ୍ରବେଶ

241

କନକ ବ୍ୟୁରୋ : ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ଚନ୍ଦ୍ରଯାନ-୩ । ଟ୍ୱିଟ୍ କରି ସୂଚନା ଦେଇଛି ଇସ୍ରୋ । ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଘୂରିବୁଲୁଛି ଚନ୍ଦ୍ରଯାନ-୩ । ଇସ୍ରୋ ପକ୍ଷରୁ କୁହାଯାଇଛି ସଫଳତାର ସହ ପୃଥୀବି ଚାରିପଟେ ପ୍ରଥମ କକ୍ଷପଥ ପରିବର୍ତନ କରିଛି ଚନ୍ଦ୍ରଯାନ-୩ । ଏହା ପୃଥିବୀ ଚାରିପଟେ ୪୧ ହଜାର ୭୬୨ କିଲୋମିଟର ଓ ୧୭୩ କିଲୋମିଟର କକ୍ଷପଥରେ ଘୂରୁଛି ।

ପୃଥିବୀଠାରୁ ଦୂରେଇବା ଚନ୍ଦ୍ର ଆଡକୁ ନିକଟତର ହେବାରେ ଲାଗିଛି ଚନ୍ଦ୍ରଯାନ । ଏହି ପ୍ରକ୍ରିୟା ପ୍ରାୟ ୧ ମାସ ଧରି ଚାଲିବ ଏବଂ ଏହା ପରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ । ‘ଚନ୍ଦ୍ରଯାନ-୩’ର ପ୍ରତ୍ୟେକ ଗିତିବିଧି ଉପରେ ସତର୍କ ନଜର ରଖିଛନ୍ତି ଇସ୍ରୋର ବୈଜ୍ଞାନିକ । ଜୁଲାଇ ୩୧ ତାରିଖ ସୁଦ୍ଧା ଚନ୍ଦ୍ରଯାନ-୩ ପୃଥିବୀଠାରୁ ୧୦ ଗୁଣ ଦୂର ଯାଇସାରିଥିବ । ଏକ ଲକ୍ଷ କିଲୋମିଟର ଦୂରରେ ପହଂଚିବା ପରେ ଚନ୍ଦଯାନକୁ ସ୍ଲିଙ୍ଗସଟ୍ କରାଯିବ । ଅର୍ଥାତ୍ ବାଟୁଳିଖଡା ପରି ଚନ୍ଦଯାନକୁ ଚନ୍ଦ୍ରର ଲମ୍ବା ଦୂର ସୋଲାର ଅର୍ବିଟକୁ ପଠାଯିବ । ପୃଥିବରୁ ଚନ୍ଦ୍ରକୁ ଯିବାକୁ ପାଂଚ ଦିନ ଲାଗିବ । ଅଗଷ୍ଟ ୫ରୁ ୭ ତାରିଖ ମଧ୍ୟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅର୍ବିଟରେ ପହଂଚିବ । ତା’ପରେ ଚନ୍ଦ୍ରଯାନ-୩ ର ପ୍ରପଲ୍ସନ ମଡ୍ୟୁଲକୁ ଅନ୍ କରାଯିବ । ଯାହା ଚନ୍ଦ୍ରଯାନ-୩ କୁ ଆଗକୁ ଯିବାକୁ ଧକ୍କା ମାରିବ । ଅର୍ଥାତ ଚନ୍ଦ୍ରର ୧୦୦ କିଲୋମିଟର ଉପର କକ୍ଷପକ୍ଷକୁ ପଠାଯିବ । ଅଗଷ୍ଟ ୧୭ ତାରିଖରେ ପ୍ରପଲସନ୍ ସିଷ୍ଟମ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇଯିବ । ଏହାପରେ ଚନ୍ଦ୍ରଯାନ-୩ ଗତିକୁ କମ କରାଯିବ । ନିର୍ଦ୍ଧାରିତ ଗତିରେ ଯେତେବେଳେ ଚନ୍ଦ୍ରଯାନ-୩ର ଚନ୍ଦ୍ରର ଚାରିପଟେ ଘୁରିବ ସେତେବେଳେ ଲ୍ୟାଣ୍ଡର ଓ ରୋଭର ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରଯାନ-୨ରୁ ଏହି ଅବତରଣ ସମୟରେ ହାର୍ଡ ଲ୍ୟାଣ୍ଡିଂ ଯୋଗୁ ରୋଭର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏଥର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ଡିଂ କରିବାର ଲକ୍ଷ୍ୟ ରଖଯାଇଛି । ଯଦି ସବୁକିଛି ଠିକ୍ ଚାଲେ ତେବେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ ପହଂଚିବ ଚନ୍ଦ୍ରଯାନ-୩ ।