ଗଣମାଧ୍ୟମ ନିୟାମକ ଆଇନରେ ପ୍ରଥମଥର ପାଇଁ ସାମିଲ ହେଲା ଡିଜିଟାଲ ମିଡିଆ, ଉଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

199

କନକ ବ୍ୟୁରୋ : ଗଣମାଧ୍ୟମ ପଞ୍ଜିକରଣ ଆଇନ ପରିସରଭୂକ୍ତ ହେଲା ଡିଜିଟାଲ ମିଡିଆ । ପ୍ରଥମ ଥର ପାଇଁ ଭାରତର ଡିଜିଟାଲ ମିଡିଆଗୁଡିକୁ ଗଣମାଧ୍ୟମ ନିୟାମକ ଆଇନ ପରିସରଭୂକ୍ତ କରାଯାଇଛି । ଏହା ପୂର୍ବରୁ ଡିଜିଟାଲ ମିଡିଆଗୁଡିକ ସରକାରଙ୍କର କୌଣସି ନିୟମ ପରିସରଭୂକ୍ତ ହୋଇ ନଥିଲା । ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଯଦି କୌଣସି ଡିଜିଟାଲ ମିଡିଆ ଗଣମାଧ୍ୟମ ଆଇନର ଉଲଙ୍ଘନ କରନ୍ତି ତେବେ ତାଙ୍କ ପଞ୍ଜିକରଣ ରଦ୍ଦ କିମ୍ବା ସଂପୃକ୍ତ ଡିଜିଟାଲ ମିଡିଆ ଉପରେ ଜରିମାନା ଲଗାଯାଇପାରେ ।

ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ Press and Periodicals Bil ର ପଞ୍ଜିକରଣରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଥିରେ କୌଣସି ପ୍ରଜ୍ୟୁକ୍ତିବିଦ୍ୟା ମାଧ୍ୟମରେ ଡିଜିଟାଲ ମିଡିଆ ଦ୍ୱାରା ଯଦି ସମାଚାର ପ୍ରସାର କରାଯାଉଥାଏ ତେବେ ସେହିଭଳି ଅନୁଷ୍ଠାନ ବି ଏହି ଆଇନ ପରିସରଭୂକ୍ତ ହେବ ।

ସେପଟେ କୁହାଯାଇଛି କି, ଯେଉଁମାନେ ଡିଜିଟାଲ ମିଡିଆ ଚଳାଉଛନ୍ତି ସେମାନଙ୍କୁ ଏନେଇ ପଞ୍ଜିକରଣ କରିବା ପାଇଁ ଆବେଦନ କରିବାକୁ ପଡିବ । ଏହି ଆବେଦନ ଆଇନ ଲାଗୁ ହେବାର ୯୦ ଦିନ ମଧ୍ୟରେ କରିବାକୁ ପଡିବ । ଏହାପରେ ସେମାନେ ଯଦି କୌଣସି ପ୍ରକାର ଆଇନର ଉଲଙ୍ଘନ କରିନ୍ତି ତେବେ ସେମାନଙ୍କ ଉପରେ ମୁଖ୍ୟ ଗଣମାଧ୍ୟମ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ।

ସୂତ୍ର ସୂଚନା ମୁତାବକ ଏହି ବିଧେୟକକୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ଅନ୍ୟ କୌଣସି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇ ନାହିଁ । ୨୦୧୯ ରେ କେନ୍ଦ୍ର ସରକାର ମିଡିଆରେ ଖବରକୁ ଏକ ଡିଜିଟାଲ ଆଧାରରେ ଖବର ଭାବେ ବାଖ୍ୟା କରୁଥିବା ଏକ ଡ୍ରାଫ୍ଟ ବିଲ ଉପସ୍ଥାପନ କରାଯାଇଥିଲା । ଯାହା ଇଣ୍ଟରନେଟ, କମ୍ପ୍ୟୁଟର କିମ୍ବା ମୋବାଇଲ ନେଟୱାର୍କରେ ପ୍ରସାରିତ ହୋଇପାରିବ । ଏଥିରେ ଭିଡିଓ କୌଶଳ, ଅଡିଓ ଏବଂ ଗ୍ରାଫିକ୍ସ ଅର୍ନ୍ତଭୂକ୍ତ । ସେତେବେଳେ ଏହି ଡ୍ରାଫ୍ଟ ବିଲ ବେଶ୍ ଆଲୋଡନ ସୃଷ୍ଟି କରିଥିଲା । ଏହାକୁ ନେଇ ଡିଜିଟାଲ ସମ୍ବାଦ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାର ଏକ ପ୍ରୟାସ ଭାବେ ଦେଖାଯାଉଥିଲା ।