ସଂକ୍ରମଣକୁ ଦେଖି ସତର୍କ ହେଲେ ସରକାର : ଏଣିକି ଅଧା କର୍ମଚାରୀରେ ଚାଲିବ ଅଫିସ

ଘରେ ରହି କାମ କରିବେ ୫୦% କର୍ମଚାରୀ; ଭିଡିଓ କନଫରେନ୍ସିଂ ଜରିଆରେ ହେବ ମିଟିଂ

1,229

କନକ ବ୍ୟୁରୋ : କରୋନା ସଂଖ୍ୟା ବଢୁଥିବାରୁ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅଫିସଗୁଡିକ ଅଧା କର୍ମଚାରୀରେ ଚାଲିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ବାକି ୫୦ ପ୍ରତିଶତ କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଅନୁସାରେ ଅଫିସ ଚାଲିବ । ତେବେ ଅଣ୍ଡର ସେକ୍ରେଟାରୀ ଏବଂ ଏହାଠାରୁ ଉଚ୍ଚ ପଦରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ନିୟମିତ ଅଫିସ ଆସିବେ । ଭିନ୍ନକ୍ଷମ ଏବଂ ଗର୍ଭବତୀ ମହିଳାମାନେ ଅଫିସ ନଆସି ଘରେ ରହି କାର୍ଯ୍ୟ କରିବେ ।

ଯେଉଁ ଅଧିକାରୀ ଓ କର୍ମଚାରୀମାନେ କଂଟେନମେଂଟ ବା ଅବରୋଧ ଅଂଚଳରେ ରହୁଥିବେ, ସେମାନଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି । ଘରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଟେଲିଫୋନ ଓ ଇଂଟରନେଟ୍ ମାଧ୍ୟମରେ ସବୁ ସମୟରେ ଯୋଗାଯୋଗରେ ରହିବେ । ଭିଡିଓ କନଫରେନ୍ସିଂ ଜରିଆରେ ମିଟିଂ କରାଯିବ । ବାହାର ଲୋକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଅଫିସ ଭିତରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା ଆଦି କରୋନା ନିୟମ କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କାର୍ଯ୍ୟସ୍ଥଳକୁ ଠିକ୍ ଭାବେ ବାରମ୍ବାର ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।