କିଶୋରଙ୍କୁ କୋଭିଡ ଟିକା : ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ଓ ରାଜ୍ୟରେ ୮୦ ହଜାର ୧୨୯ ପିଲା ନେଲେ ଟିକା

ମାସକରେ ରାଜ୍ୟର ୧୫ରୁ ୧୮ ବର୍ଷ ପିଲାଙ୍କୁ ସଂପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ

73

କନକ ବ୍ୟୁରୋ : ସାରା ଦେଶରେ ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ କୋଭିଡ ଟିକା ଦେବା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦେଶରେ ୪୦ ଲକ୍ଷ ପିଲାଙ୍କ ଟିକାକରଣ କରାଯାଇଛି । ଓଡିଶାରେ ୮୦ ହଜାର ୧୨୯ ପିଲା ପ୍ରଥମ ଡୋଜ ଟିକା ନେଇଛନ୍ତି । ରାଜ୍ୟରେ ପିଲାଙ୍କୁ ଟିକା ଦେବାକୁ ୩ହଜାର ୧୯୩ ଟିକା କେନ୍ଦ୍ରରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର କେନ୍ଦ୍ର କରାଯାଇଥିବା ବେଳେ, ଯେଉଁ କେନ୍ଦ୍ର ଗୁଡିକରେ ପୂର୍ବରୁ ଟିକାକରଣ ଚାଲିଛି ସେଠି ମଧ୍ୟ ପିଲାମାନଙ୍କୁ ଟିକା ଦିଆଯାଉଛି ।

ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିଛନ୍ତି ସେମାନେ ଟିକା ନେଉଛନ୍ତି । ଯେଉଁମାନେ ପଞ୍ଜିକରଣ କରିନଥିବେ ସେମାନେ ଅନସ୍ପଟ ପଞ୍ଜିକରଣ କରି ଟିକା ନେଇପାରୁଛନ୍ତି । ସ୍କୁଲରେ ପାଠପଢ଼ୁଥିବା ୧୫ରୁ ୧୮ବର୍ଷ ବୟସର ସମସ୍ତ ପିଲା ଯେମିତି ଟିକା ନେଇପାରିବେ ସେଥିପାଇଁ ସ୍କୁଲର ଅଧ୍ୟକ୍ଷମାନେ ବ୍ୟବସ୍ଥା କରିଛନ୍ତି । ସ୍କୁଲ ଅଧ୍ୟକ୍ଷମାନେ ପ୍ରସ୍ତୁତ କରିଥିବା ତାଲିକା ଅନୁସାରେ ଟିକାକରଣ ବ୍ୟବସ୍ଥା କରିଛନ୍ତି ସିଡିଏମଓ । ରାଜ୍ୟର ପ୍ରାୟ ୨୫ଲକ୍ଷ ପିଲା ୧୫ ରୁ ୧୮ ବର୍ଷ ବୟସର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ସ୍କୁଲ ଓ କଲେଜରେ ପଢ଼ୁଛନ୍ତି ।

ବର୍ତମାନ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବାରୁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବର୍ଗର ସମସ୍ତ ପିଲାଙ୍କୁ ଯେମିତି ଟିକାର ପ୍ରଥମ ଡୋଜ୍ ଗୋଟିଏ ମାସ ଭିତରେ ଦିଆଯିବ ସେହି ଲକ୍ଷ୍ୟ ରଖି କାର୍ଯ୍ୟ କରୁଛନ୍ତି ସରକାର । ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ବିଭାଗ ସଚିବ । ମାଟିକ୍ର ସମେଟିଭ୍ ପରୀକ୍ଷା ଥିବାରୁ ୮ତାରିଖ ପରେ ସେମାନଙ୍କୁ ଟିକା ଦେବାକୁ ପରାମର୍ଶ ଦିଆଯାଇଛି ।