ରାତି ଅଧରେ କାର-ଟ୍ୟାଙ୍କର ଧକ୍କା: ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

298

କନକ ବ୍ୟୁରୋ: ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ଦୁର୍ଘଟଣାରେ ଶିକାର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁରରୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଅଣାଯାଇଛି । ତେବେ ସ୍ୱତନ୍ତ୍ର ଡାକ୍ତେରୀ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ପରିବାର ଲୋକ ।

ଜାତୀୟ ରାଜପଥ ୫୫ରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତକାଲି ଭୁବନେଶ୍ୱରରୁ ଦଳୀୟ କାମ ସାରି ବରଗଡ ଫେରିବା ବାଟରେ ୫୫ ନମ୍ବର ଜାତୀୟ ରାଜପଥରେ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର ଦୁର୍ଘଟଣା । ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର ଧକ୍କା ହୋଇଛି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଛି । ଅନ୍ୟପଟେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସ୍ଓ ଏବଂ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଥମେ ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟ ପରେ ତାଙ୍କୁ ସମ୍ବଲପୁର ଚିକିତ୍ସାଳୟକୁ ପଠାଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ଏବେ ପ୍ରସନ୍ନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ସମ୍ବଲପୁରରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇ ଏକ ଘରୋଇ ହସ୍ପିଟାଲରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଚିକିତ୍ସା ଚାଲିଛି । ପ୍ରସନ୍ନଙ୍କ ଶରୀରର କାନ, ନାକ, ଆଖି ଓ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ୩୫ରୁ ଅଧିକ ଷ୍ଟିଚ ପଡିଛି । ସେହିପରି ପିଏସଓ ରାଘବ ପ୍ରଧାନଙ୍କ ଗୋଡ ଭାଙ୍ଗିଛି । ଦୁର୍ଘଟଣା ଖବର ପାଇବା ପରେ ରାଜନେତା, ଜିଲ୍ଲାର ପ୍ରଶାସନିକ ଅଧିକାରୀ ହସ୍ପିଟାଲ ପହଂଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଥିଲେ । ତେବେ ସମ୍ବଲପୁରରେ ପ୍ରସନ୍ନଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରଙ୍କ ରିପୋର୍ଟ ସମସ୍ତଙ୍କୁ ଆଶ୍ୱସ୍ତି ଆଣିଦେଇଛି । ରାତି ଅଧରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ଖବର ଶୁକ୍ରବାର ସକାଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।