ଶେଷ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଜାଣନ୍ତୁ କେଉଁ ଆସନରୁ କାହାକୁ ମୈଦାନକୁ ଓହ୍ଲାଇଲା ଦଳ?

2,912

କନକ ବ୍ୟୁରୋ : ବଳକା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ୩ ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । କୋରେଇ, ନୀଳଗିରି, ଖଣ୍ଡପଡା ପାଇଁ ବିଜେଡି ୩ ନୂଆ ମୁହଁକୁ ମୈଦାନକୁ ଓହ୍ଲାଇଥିବା ବେଳେ ଦେବଗଡ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

ଗତ କିଛି ଦିନ ପୂର୍ବେ ଅରୁନ୍ଧତୀ ଦେବୀ ବିଜେଡିରେ ମିଶିବା ସହ ଦଳର ଟିକେଟ ହାତେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଦେବଗଡ ଆସନରେ ଅରୁନ୍ଧତୀଙ୍କୁ ବିରୋଧରେ ସାମ୍ନା କରିବାକୁ ପଡିଥିଲା । ଯେଉଁଥିପାଇଁ ଦଳ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରିଛି । ଯେହେତୁ ସମ୍ବଲପୁର ଲୋକସଭା ଅଧିନରେ ଦେବଗଡ ବିଧାନସଭା ଆସୁଛି ତେଣୁ ଏଠାରେ ଦଳ କୌଣସି ଅସନ୍ତୋଷ ଚାହୁଁନଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ରାସେଶ୍ୱରୀ ପାଣିଗ୍ରାହୀ ଦଳ ଛାଡିବା ସହ ବିଜେଡିକୁ ବଡ ଝଟକା ଦେଇଥିଲେ । ସେହିଭଳି ଦୀର୍ଘଦିନ ହେବ କୋରେଇ ଆସନରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । କୋରେଇ ଆସନୀରୁ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିଛି । ସେହିଭଳି ନୀଳଗିରି ଆସନରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ସୁକାନ୍ତ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି ।