କନକ ବ୍ୟୁରୋ: ଦିଲ୍ଲୀର ଉପ ରାଜ୍ୟପାଳ ଭି.କେ ସକ୍ସେନା ଏକ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେ ରାଜଧାନୀ ମହିଳା ଆୟୋଗର ୨୨୩ କର୍ମଚାରୀଙ୍କୁ ଚାକିରିରୁ ହଟାଇ ଦେଇଛନ୍ତି। ଅଭିଯୋଗ ହୋଇଛି ଯେ ତତ୍କାଳୀନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷାଛ ଥିବା ଆମ୍ ଆଦ୍ମୀ ପାର୍ଟି (ଆପ୍) ସାଂସଦ ସ୍ବାତୀ ମାଲିୱାଲ୍ ନିୟମର ଉଲ୍ଲଂଘନ କରି ଏହି ନିଯୁକ୍ତି ଦେଇଥିଲେ। ମହିଳା ଆୟୋଗରେ ସମୁଦାୟ ୪୦ଟି ପଦ ଖାଲି ଥିବା ବେଳେ ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଉପ ରାଜ୍ୟପାଳଙ୍କ କାର୍ୟ୍ୟାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଉପ ରାଜ୍ୟପାଳଙ୍କ ବିନା ଅନୁମତିରେ ୨୨୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଚୁକ୍ତିରେ କର୍ମଚାରୀ ନିଯୁକ୍ତି କରିବାର ଆୟୋଗର ଅଧିକାର ନାହିଁ ବୋଲି ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି। ଏହି ଆଦେଶରେ ଆହୁରି ମଧ୍ୟ କୁହାଯାଇଛି ଯେ ଅର୍ଥ ବିଭାଗର ଅନୁମୋଦନ ବିନା ସେମାନେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ।
ସୂଚନା ମୁତାବକ, ଏହି ନିଯୁକ୍ତିଗୁଡିକ ଧାର୍ୟ୍ୟ ପ୍ରକ୍ରିୟା ଅନୁଯାୟୀ କରାଯାଇ ନାହିଁ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଡିସିଡବ୍ଲୁ କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି ମଧ୍ୟ ବେଆଇନ ଭାବେ ହୋଇଛି। ଯାହାକି ଧାର୍ୟ୍ୟ ପ୍ରକ୍ରିୟା ଏବଂ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଛି।