ରୋଚକ ହେଉଛି ଝାଡ଼ଖଣ୍ଡ ରାଜନୀତି: ରାଜ୍ୟପାଳଙ୍କ ନିଷ୍ପତି ଉପରେ ନଜର

152

କନକ ବ୍ୟୁରୋ: ଗମ୍ଭୀର ରାଜନୈତିକ ସଙ୍କଟ ସମୟରେ ଏହି ଅବସର ବିନୋଦନର ଦୃଶ୍ୟକୁ ନେଇ ଚାରି ଆଡେ ଚର୍ଚ୍ଚା । ରାଜ୍ୟରେ ରାଜନୈତିକ ଛକାପନଝା ଭିତରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ସମସ୍ତ ବିଧାୟକ ଶନିବାର ତିନୋଟି ବସରେ ଖୁଂଟି ଜିଲ୍ଲାର ଲାତ୍ରାତୁ ଡ୍ୟାମରେ ପହଂଚିଥିଲେ । ଲତୁରାମ ନଦୀରେ ବିଧାୟକଙ୍କ ସହ ନୌବିହାର କରିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ବୁଲାବୁଲି ଓ ନୌବିହାର ପରେ ଡ୍ୟାମ ପରିସରରେ ଥିବା ଗେଷ୍ଟ ହାଉସରେ କିଛି ସମୟ ରହିଥିଲେ ସମସ୍ତ ବିଧାୟକ । ଏହାପରେ ରାଂଚି ଫେରି ଆସିଥିଲେ ଶାସକ ‘ମେଂଟ’ର ବିଧାୟକ ।

ଝାଡଖଣ୍ଡରେ ଯେଉଁ ରାଜନୈତିକ ଝଡ ଉଠିଛି, ଏହା ପଛର କାରଣ ହେଉଛି ନିର୍ବାଚନ କମିସନଙ୍କ ବନ୍ଦ ଲଫାଫାର ସେହି ଚିଠି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ପାଇଁ ସୁପାରିଶ କରିଥିବା କୁହାଯାଉଛି । କିନ୍ତୁ ଝାଡଖଣ୍ଡ ରାଜ୍ୟପାଳ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇ ନାହାନ୍ତି ।

ଝାଡଖଣ୍ଡରେ ଜାରି ପଲିଟିକାଲ ହାଇଡ୍ରାମା ଭିତରେ ଆଜି କଂଗ୍ରେସର ଝାଡଖଣ୍ଡ ପ୍ରଭାରୀ ଅବିନାଶ ପାଣ୍ଡେଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ରାଜ୍ୟର ରାଜନୈତିକ ସଂକଟକୁ ନେଇ ଦୁଇ ନେତା ଚର୍ଚ୍ଚା କରିଥିବା ଜଣାପଡିଛି । ହେମନ୍ତ ସୋରେନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଏଡାଇ ଦେଇ ଚାଲିଯାଇଛନ୍ତି । ସେପଟେ କଂଗ୍ରେସ ଏହାକୁ ଔପଚାରିକ ସାକ୍ଷାତ ଆଲୋଚନା ବୋଲି କହିଛି ।

ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈସ, ନିର୍ବାଚନ କମିସନଙ୍କ ସୁପାରିଶ ଉପରେ ନିଷ୍ପତି ନେବାରେ ଯେତିକି ଡେରି କରୁଛନ୍ତି, ଏପଟେ ରାଜ୍ୟ ରାଜନୀତିର ଉଦବେଗ ସେତେ ବଢୁଛି । ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେଲେ ପରବର୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିିଛି । ଏପରି ସ୍ଥିତିରେ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି । କଳ୍ପନା ହେଉଛନ୍ତି ମୟୂରଭଂଜର ଝିଅ ।