ବୁଲ୍ଲି ବାଇ ଆପ ମାଷ୍ଟରମାଇଣ୍ଡ ନୀରଜ ବିଷ୍ଣୋଇ ଗିରଫ: ଆପ୍ ସହ ଟ୍ୱିଟରରେ ମୁସଲିମ୍ ମହିଳାଙ୍କୁ ନେଇ ନିଲାମି ଡାକୁଥିଲା ନୀରଜ 

140

କନକ ବ୍ୟୁରୋ: ବିବାଦୀୟ ବୁଲ୍ଲି ବାଇ ଆପ ମାମଲାରେ ଦିଲ୍ଲୀ ପୋଲିସ ୪ର୍ଥ ତଥା ମୁଖ୍ୟ ଅଭିଯୁକ୍ତ ନୀରଜ ବିଷ୍ଣୋଇକୁ ଗିରଫ କରିଛି । ଆସାମ ଜୋରହାଟରୁ ଇଂଜନିୟରିଂ ଦ୍ୱିତୀୟ ବର୍ଷର ଛାତ୍ର ନୀରଜକୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ ଏବେ ନୀରଜ ସହ ପଚରା-ଉଚୁରା ଜାରି ରଖିଛି । ଏହା ପୂର୍ବରୁ ମୁମ୍ବାଇ ପୋଲିସର କ୍ରାଇମବ୍ରାଚ ଅନ୍ୟ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି ।

ସୋସିଆଲ ମିଡିଆରେ ସକ୍ରିୟ ଥିବା ଦେଶର ଶହେ ଜଣ ମୁସଲିମ୍ ମହିଳାଙ୍କୁ ସଉଦା କରିବା ପଡିଲା ମହଙ୍ଗା । ଗିରଫ ହେଲା ବୁଲ୍ଲି ବାଇ ଆପ୍ର ନିର୍ମାତା ନୀରଜ ବିଷ୍ଣୋଇ । ପୋଲିସ୍ର ସୂଚନା ଅନୁସାରେ ୨୧ ବର୍ଷୀୟ ନୀରଜ ଏହି ମାମଲାରେ ମାଷ୍ଟରମାଇଣ୍ଡ । ଆସାମ ଜୋରହାଟ ନିବାଶୀ ନୀରଜ ଭୋପାଲରେ ଇଂଜନିୟରିଂର ୨ୟ ବର୍ଷ ଅଧ୍ୟୟନ କରୁଛି ।

– ନୀରଜ ଗିଟହବ ପ୍ଲାଟଫର୍ମରେ ‘ବୁଲ୍ଲି ବାଇ’ ଆପ ତିଆରି କରିଥିଲା 

– ‘ବୁଲ୍ଲି ବାଇ’ ଆପ ସହ ଏହାର ଟ୍ୱିଟର ଆକାଉଁଟ୍ ମଧ୍ୟ ଚଲାଉଥିଲା ନୀରଜ 

– ଦିଲ୍ଲୀ ପୁଲିସର ଇଂଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ ୟୁନିଟ୍ ଗିରଫ କରିଛି 

ଆସାମରୁ ନୀରଜକୁ ଗିରଫ କରିବା ପରେ ତାକୁ ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଦିଲ୍ଲୀ ଆଣିବା ପରେ ତାକୁ ମାମଲାରେ ପଚରା-ଉଚୁରା ଜାରି ରଖିଛି ପୁଲିସ୍ ।

ମୁମ୍ବାଇ କ୍ରାଇମ୍ ବ୍ରାଂଚର ସାଇବର ସେଲ ମଧ୍ୟ ବୁଲ୍ଲି ବାଇ ଆପ ମାମଲାରେ ତଦନ୍ତ କରୁଛି । ନୀରଜ ପୂର୍ବରୁ ମାମଲା ସହ ଜଡିତ ଥିବା ଅନ୍ୟ ତିନି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ମୁମ୍ବାଇ ପୁଲିସ । ମାମଲାରେ ଉତରାଖଣ୍ଡର ୧୮ ବର୍ଷୀୟ ଶ୍ୱେତା ସିଂହ, ବେଙ୍ଗାଲୁରର ୨୧ ବର୍ଷୀୟ ଇଂଜିନିୟରିଂ ଛାତ୍ର ଏବଂ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଗତ ବର୍ଷ ଶତାଧିକ ମୁସଲିମ ମହିଳାଙ୍କୁ ଅପମାନ କଲାଭଳି ସୁଲ୍ଲି ବାଇ ଆପ୍ ସାମ୍ନାକୁ ଆସିଥିଲା । ଏହି ଆପ ଜରିଆରେ ମୁସଲିମ୍ ମହିଳାଙ୍କ ନିଲାମି ଡକା ଯାଇଥିଲା । ବୁଲ୍ଲି ବାଇ ଆଫ ମଧ୍ୟ ସେହିଭଲି ଏକ ଆପ । ଏଥିରେ ଭାରତର ଶହେ ମୁସଲିମ୍ ମହିଳାଙ୍କୁ ଅପମାନିତ କରାଯାଇଛି । ଏଥିରେ ଅନେକ ସାମ୍ବାଦିକ, ରାଜନୀତିରେ ସକ୍ରିୟ ଥିବା ମହିଳା ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡିତ ଥିବା ମହିଳା ରହିଛନ୍ତି । ଘଟଣାରେ ଗତ ଶନିବାର ମୁମ୍ବାଇରେ ଏକ ମାମଲା ରୁଜୁ ହୋଇଥିଲା । ପରେ ଏହାକୁ ନେଇ ସାରା ଦେଶରେ ହଇଚଇ ଖେଳିଯାଇଛି ।