କନକ ବ୍ୟୁରୋ : କେନ୍ଦ୍ର ସରକାର ଆସନ୍ତା ବଜେଟ୍ରେ କ୍ରିପ୍ଟୋକରେନ୍ସି କାରବାର ଉପରେ ଟିକସ ଲଗାଇ ପାରନ୍ତି । କ୍ରିପ୍ଟୋର କିଣାବିକା ଉପରେ ଟିଡିଏସ୍/ଟିସିଏସ୍ ଭଳି ଶୁଳ୍କ ଲାଗିପାରେ। ପ୍ରଥମ ଥର ଲାଗି କ୍ରିପ୍ଟୋ କାରବାରକୁ ଆୟ ଭାବେ ବିଚାର କରି ତାହା ଉପରେ ୩୦% ଭଳି ଚଢ଼ା ଦରରେ ଟିକସ ଲଗାଯିବ । ଲଟେରି, ଗେମ୍ ସୋ’, ପଜଲ୍ ଆଦିରୁ ହେଉଥିବା ଆୟ ସହ କ୍ରିପ୍ଟୋକରେନ୍ସି କାରବାରକୁ ତୁଳନା କରାଯିବ। ବିଶ୍ବର ସର୍ବାଧିକ କ୍ରିପ୍ଟୋ ଗ୍ରାହକ ଭାରତରେ ଅଛନ୍ତି । ଏଠାରେ ପ୍ରାୟ ୧୦ କୋଟି ଲୋକ କ୍ରିପ୍ଟୋରେ କାରବାର କରୁଛନ୍ତି । ସେମାନେ ଏହି ଡିଜିଟାଲ ମୁଦ୍ରାଗୁଡ଼ିକରେ ବିପୁଳ ନିବେଶ କରିଛନ୍ତି । କିଛି ଦିନ ତଳେ କ୍ରିପ୍ଟୋକରେନ୍ସି ବେଶ ଚର୍ଚ୍ଚାରେ ଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ସବୁ ଘରୋଇ କ୍ରିପ୍ଟୋଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବା ଲାଗି ସରକାର ଏକ ବିଲ୍ ପ୍ରସ୍ତୁତ କରିଛନ୍ତି। ତାହାକୁ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରିବାର ଯୋଜନା ଥିଲା । ଅବଶ୍ୟ ସେହି କାର୍ଯ୍ୟ ସମ୍ଭବ ହୋଇନାହିଁ । ତେଣୁ ବଜେଟ୍ରେ କ୍ରିପ୍ଟୋ କାରବାର ଉପରେ ଟିକସ ଲଗାଇବା ଉପରେ ସରକାର ବିଚାର କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କ୍ରିପ୍ଟୋ କାରବାରକୁ ନିୟନ୍ତ୍ରଣ କରିବା ଲାଗି ଦେଶରେ ଏବେ କୌଣସି ନିୟମ ନାହିଁ । ଯେହେତୁ ଏହି ମୁଦ୍ରାଗୁଡ଼ିକ ଦେଶର ଅର୍ଥନୀତି ପ୍ରତି ଏକ ବିପଦ ତେଣୁ ସେଗୁଡ଼ିକୁ ନିଷିଦ୍ଧ କରାଯାଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଦାବି କରୁଛି । କିନ୍ତୁ, ବହୁ ସଂଖ୍ୟକ ଲୋକ ତାହାକୁ ବ୍ୟବହାର କରୁଥିବାରୁ ସରକାର କ୍ରିପ୍ଟୋକୁ ନେଇ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି ।