ସୁନା ଆମଦାନୀ ୨ ଗୁଣ ବଢିଲା । ଚୀନ ପରେ ଭାରତ ଦ୍ୱିତୀୟ ସ୍ଥାନରେ

116

କନକ ବ୍ୟୁରୋ : ଗତବର୍ଷର ଏପ୍ରିଲରୁ ଡିସେମ୍ବର ମାସ ଭିତରେ ଭାରତ ଦୁଇ ଗୁଣା ଅଧିକ ସୁନା ଆମଦାନୀ କରିଛି । ଏହି ୯ ମାସରେ ଦେଶକୁ ୩୮୦୦ କୋଟି ଡଲାର ପ୍ରାୟ ୨,୮୫,୦୦୦ କୋଟି ଟଙ୍କା ମୂଲ୍ୟର ସୁନା ଆମଦାନୀ ହୋଇଥିଲା । ୨୦୨୦ରେ ଆମଦାନି ହୋଇଥିବା ୧୬୭୮ କୋଟି ଡଲାର ପ୍ରାୟ ୧,୨୫,୮୫୦ କୋଟି ଟଙ୍କା ତୁଳନାରେ ଏହା ଦୁଇ ଗୁଣ ଅଧିକ । କେବଳ ଡିସେମ୍ବରରେ ୪୮୦ କୋଟି ଡଲାର ମୂଲ୍ୟର ସୁନା ଆମଦାନି ହୋଇଛି ।

କେବଳ ସୁନା ନୁହେଁ, ରୁପା ଆମଦାନି ମଧ୍ୟ ଏହି ସମୟରେ ୨୦୦ କୋଟି ଡଲାରକୁ ବୃଦ୍ଧି ପାଇଛି। ୨୦୨୦ର ଏପ୍ରିଲ୍‌-ଡିସେମ୍ବରରେ ମାତ୍ର ୭୬.୨ କୋଟି ଡଲାର ମୂଲ୍ୟର ରୁପା ଆମଦାନି ହୋଇଥିଲା। ସୁନା ଓ ରୁପା ଭଳି ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନିରେ ବିପୁଳ ବିଦେଶୀ ମୁଦ୍ରା ଖର୍ଚ୍ଚ ହେବା ଦେଶର ଅର୍ଥନୀତି ପାଇଁ ଭଲ ନୁହେଁ । ଅଧିକ ସୁନା ଆସିଥିବାରୁ ଦେଶର ବାଣିଜ୍ୟ ନିଅଣ୍ଟ ୧୪,୨୪୪ କୋଟି ଡଲାରକୁ ବୃଦ୍ଧି ପାଇଛି । ଅର୍ଥାତ ରପ୍ତାନି ତୁଳନାରେ ଭାରତ ଅଧିକ ଆମଦାନି କରିଛି । ଚୀନ୍ ପରେ ଭାରତ ବିଶ୍ବର ଦ୍ବିତୀୟ ବୃହତ ସୁନା ଗ୍ରାହକ । ଭାରତରେ ଗହଣା ଶିଳ୍ପ ଏଠାରେ ଅଧିକ ସୁନ‌ା ଆମଦାନି କରୁଛି ।