କୋଡ୍ ୱାର୍ଡରେ ବ୍ରାଉନସୁଗାର କାରବାର: ଧଳା ଜହର, ବାଂଲାଦେଶରୁ ଭୁବନେଶ୍ୱର

174

କନକ ବ୍ୟୁରୋ: କୋଡ ୱାର୍ଡରେ ଚାଲିଛି ବ୍ରାଉନ ସୁଗାର । ଦୀଘାରୁ ଭୁବନେଶ୍ୱରକୁ ଲମ୍ବିଛି ଚେର । ଅନ ଲାଇନରେ ଟ୍ରାନଜାକ୍ସନ ହେଉଛି । ଏଭଳି ଭାବେ ବ୍ରାଉନସୁଗାର ଡିଲ କରୁଥିବା ଜଣେ ଡିଲରକୁ ଗିରଫ କରିଛି ସ୍ପୋଶାଲ କ୍ରାଇମ ୟୁନିଟ୍ । ତାଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ପୂର୍ବରୁ ସୋମନାଥ ତାଙ୍କ ସ୍ତ୍ରୀଙ୍କ ଜରିଆରେ ବ୍ରାଉନସୁଗାର କାରବାର ଚଳାଇଥିଲେ ।

ଦୁଇ ବର୍ଷ ଧରି ପୋଲିସକୁ ଚକମା ଦେଉଥିଲା ବ୍ରାଉନ୍ ସୁଗାର ଡିଲର । ଚୋର-ପୋଲିସର ଲୁଚକାଳି ଖେଳ ଭିତରେ ଦୁଇ ବର୍ଷ ଧରି ସହରର ଏ ଗଳିରୁ ସେ ଗଳି ବୁଲି ପୋଲିସକୁ ଭୁଆଁ ବୁଲାଉଥିଲା ଅଭିଯୁକ୍ତ ଶମ୍ଭୁନାଥ ବାରିକ । ଶମ୍ଭୁ ଦୀଘାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରର ଗଳିକନ୍ଦିରେ ନିଜ ଏଜେଂଟ ରଖି ବ୍ରାଉନସୁଗାର ବିକ୍ରି କରୁଥିଲା । ଆଉ ସବୁକିଛି ଚାଲିଥିଲା କୋଡ୍ ୱାର୍ଡରେ । ଶମ୍ଭୁର ଲୋକ ଦୀଘାରେ ରହି ବ୍ରାଣ୍ଡେଡ୍ କୋରିୟର ପାର୍ସଲ ଭିତରେ ଲାଇନ୍ ଟ୍ରକ୍ରେ ଭୁବନେଶ୍ୱରକୁ ମାଲ୍ ପଠାଉଥିଲେ । ଅନଲାଇନରେ ଶମ୍ଭୁ ଟଙ୍କା ପାଇବା ପରେ ତା’ର ଏଜେଂଟ ମାନଙ୍କୁ କୋଡ୍ କହୁଥିଲା । ଆଉ କୋଡ୍ ବ୍ରେକ୍ କରି ବ୍ରାଉନ୍ସୁଗାର ବକ୍ସ ଆଣି ଛାତ୍ରଛାତ୍ରୀଙ୍କୁ ପୁଡ଼ିଆ କରି ବିକୁଥିଲେ ଏଜେଂଟ । ତେବେ ଏହି ବ୍ରାଉନସୁଗାର ଡିଲରକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ୍ । ଶମ୍ଭୁ ନିକଟରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ପରେ ଏହି ସବୁ ତଥ୍ୟ ସାମ୍ନାକୁ ଆସିଥିବା ପୋଲିସ କହିଛି ।

ଶମ୍ଭୁନାଥ ବ୍ରାଉନସୁଗାର ବିକି କୋଟିକୋଟି ଟଙ୍କା କମାଉଥିଲା । ଆଉ ସେସବୁ ଟଙ୍କାକୁ ନେଇ ଭୁବନେଶ୍ୱର-କଟକ ରୋଡରେ ଥିବା ଏକ ବାର୍ରେ ଟଙ୍କା ଉଡ଼ାଉଥିଲା । ପୋଲିସ ସୂଚନା ଅନୁସାରେ, ଶମ୍ଭୁ ନିଜର ଅଏସ ଆରାମ ପାଇଁ ବ୍ରାଉନ୍ସୁଗାର ବିକ୍ରି କରୁଥିଲା । ଏପରିକି ତା’ ସ୍ତ୍ରୀକୁ ଢାଲ କରି ଏହି କାରବାର ଚଳାଉଥିବା କଥା ଜୁଲାଇ, ୨୦୨୧ରେ ସାମ୍ନାକୁ ଆସିଥିଲା । ସେତେବେଳେ ଶମ୍ଭୁ ଖସିଯାଇଥିବା ବେଳେ ତା’ର ପତ୍ନୀ ପିଙ୍କି ଦାସ ଓ ସହଯୋଗୀ ବିଶ୍ୱରଞ୍ଜନ ରାଉଳକୁ ଗିରଫ କରିଥିଲା ପୋଲିସ । ଆଉ ସେମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ସମେତ ୩୪ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । ସେବେଠାରୁ ମୋଷ୍ଟ ୱାଂଟେଡ୍ ଥିଲା ଶମ୍ଭୁ ।