‘ଅଖିଳେଶ ସତ କ’ଣ ଜାଣିଛନ୍ତି, ସେଥିପାଇଁ କୁସ୍ତି ଖେଳାଳିଙ୍କୁ ସମର୍ଥନ କରୁନାହାଁନ୍ତି’: ବୃଜଭୂଷଣ ସିଂହଙ୍କ ବଡ ଦାବୀ

170

କନକ ବ୍ୟୁରୋ: କୁସ୍ତି ଖେଳାଳିମାନେ ଏପ୍ରିଲ ୨୩ ତାରିଖରେ ନ୍ୟାୟ ପାଇବା ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି । କୁସ୍ତିଯୋଦ୍ଧା ତଥା କୁସ୍ତି ଏକାଡେମୀର ମୁଖ୍ୟ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମାମଲା ଦାଏରକରି ତଦନ୍ତ କରିବା ସହ ଖେଳାଳିଙ୍କୁ ଯଥାଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛନ୍ତି । ଏପରି ସ୍ଥଳେ ବୃଜଭୂଷଣଙ୍କର ଆଉ ଏକ ମନ୍ତବ୍ୟ ଆସିଛି ।

କୁସ୍ତି ଖେଳାଳିଙ୍କୁ ଅନ୍ୟ ଖେଳାଳି ଓ ରାଜନେତାମାନେ ସମର୍ଥନ ଜଣାଉଥିବାବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କିନ୍ତୁ ଏଥିରେ କୌଣସି ପ୍ରକାର ପ୍ରତିକ୍ରିୟା ଏଯାଏଁ ଦେଇନାହାଁନ୍ତି । ଏହି ଘଟଣାକୁ ନେଇ କୁସ୍ତି ଖେଳାଳିଙ୍କୁ କଟାକ୍ଷ କରିଛନ୍ତି ବୃଜଭୂଷଣ । ସେ କହିଛନ୍ତି ଯେ, ‘ମୁଁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ସେ ସତ କ’ଣ ଜାଣିଛନ୍ତି ବୋଲି ମୋ ବିରୋଧରେ ଛିଡା ହୋଇନାହାଁନ୍ତି କିମ୍ବା କୁସ୍ତି ଖେଳାଳିଙ୍କୁ ସମର୍ଥନ କରିନାହାଁନ୍ତି । ମୁଁ ଅଖିଳେଶଙ୍କୁ ପିଲାଟିବେଳୁ ଜାଣେ । ମୁଁ ତାଙ୍କଠାରୁ ବୟସରେ ବଡ । ଯଦିଓ ଆମ ଭିତରେ ରାଜନୈତିକ ମତଭେଦ ରହିଛି ହେଲେ ଅଖିଳେଶଙ୍କୁ ସତ କ’ଣ ଜଣା’ ।

ବୃଜଭୂଷଣ ଆହୁରି ମଧ୍ୟ କହିଛନ୍ତି ଯେ, ‘ଯଦି ଉତ୍ତରପ୍ରଦେଶରେ ୧୦,୦୦୦ କୁସ୍ତି ଯୋଦ୍ଧା ଅଛନ୍ତି ସେଥିରୁ ୮୦୦୦ କୁସ୍ତି ଯୋଦ୍ଧା କେବଳ ସମାଜବାଦୀ ପାର୍ଟିର । ତେଣୁ ସେ ସତ କ’ଣ ଜାଣିଛନ୍ତି । ଯଦି ମୋ ଇସ୍ତଫା ଦେବାରେ କୁସ୍ତି ଖେଳାଳିଙ୍କୁ ଶାନ୍ତି ମିଳିବ ଏବଂ ସେମାନେ ଧାରଣାରୁ ଓହରିଯିବେ ତାହେଲେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ । କିନ୍ତୁ ଦୁଃଖର ବିଷୟ କୁସ୍ତି ଖେଳାଳିମାନେ ବିରୋଧୀ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ହାତର କାଠ କଣ୍ଢେଇ ପାଲଟିଯାଇଛନ୍ତି । ଏମାନଙ୍କୁ ଉଦ୍ଦେଶ୍ୟ ମୋର ଇସ୍ତଫା ନୁହେଁ ବରଂ ରାଜନୈତିକ ଷଡଯନ୍ତ୍ର’ ବୋଲି ବୃଜଭୂଷଣ କହିଛନ୍ତି ।