ଆଜିଠୁ ବର୍ଡର ଗାଭାସ୍କର ଟ୍ରଫି : ନାଗପୁରରେ ଖେଳାଯିବ ପ୍ରଥମ ଟେଷ୍ଟ; ଅଷ୍ଟ୍ରେଲିଆ ଓ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା

110

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ । ନାଗପୁରରେ ଦିନ ୯ଟା ୩୦ରେ ଖେଳାଯିବ ପ୍ରଥମ ମ୍ୟାଚ । ନମ୍ବର ୱାନ ଅଷ୍ଟ୍ରେଲିଆ ଓ ନମ୍ବର ୨ ଭାରତ ଭିତରେ କଡା ମୁକାବିଲା ସମ୍ଭାବନା । ଏହି ସିରିଜରେ ଉଭୟ ଦେଶର ଖେଳାଳି ନିଜ ନାଁରେ ରେକର୍ଡ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଶୃଙ୍ଖଳାକୁ ମୂଳପୋଛ କରି ଡବ୍ଲୁଟିସି ବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲକୁ ଯୋଗ୍ୟତା ହାସଲ କରିବା ପାଇଁ ଭାରତ ନଜର ରଖିଥିଲା ବେଳେ ଅନ୍ୟପକ୍ଷରେ ଭାରତଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।

ପୂର୍ବ ଦୁଇ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଥିବାରୁ ଏହା କମିନ୍ସଙ୍କୁ ଅତିମାତ୍ରାରେ ବାଧିଛି । ଦଳୀୟ ସନ୍ତୁଳନ ଦୃଷ୍ଟିକୋଣରୁ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା ବ୍ୟାଟିଂକ୍ରମ ସମ୍ଭାଳିବା ନିଶ୍ଚିତ । ହେଲେ ଦ୍ୱିତୀୟ ଓପ୍ନର ଏବଂ ପଂଚମ ସ୍ଥାନରେ ବ୍ୟାଟିଂ ପାଇଁ ଚିନ୍ତା ଜାରି ରହିଛି । ଏହି ସ୍ଥାନ ପାଇଁ ଶୁବମନ ଗିଲ୍, କେଏଲ୍ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଦାବିଦାର ରହିଥିଲା ବେଳେ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ । ତେଣୁ ଦୁଇଟି ସ୍ଥାନ ପାଇଁ ଏହି ତିନି ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।

ସେହିପରି ବିରାଟ କୋହଲି ୬୪ ରନ୍ ଯଦି ସଂଗ୍ରହ କରିବେ ବିଶ୍ୱ କ୍ରିକେଟରେ ସେ ଷଷ୍ଠ ଖେଳାଳି ଭାବେ ୨୫ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିବେ । ଯାହା ଏଯାଏ ଭାରତ ପକ୍ଷରୁ କେବଳ ସଚିନ ତେନ୍ଦୁଲକର ପୂରଣ କରିଛନ୍ତି । ଭ୍ରମଣକାରୀ ଦଳର ଷ୍ଟିଭ୍ ସ୍ମିଥ୍ ଯଦି ଗୋଟିଏ ଶତକ କରିବେ ତାହେଲେ ବର୍ଡର ଗାଭାସ୍କର ଟ୍ରଫିରେ ସେ ସଚିନଙ୍କ ସମକକ୍ଷ ହେବେ । ସଚିନ ୧୪ଟି ଟେଷ୍ଟରେ ୯ଟି ଶତକ କରିଛନ୍ତି । ଅନ୍ୟପଟେ ସ୍ମିଥ୍ ୧୪ଟି ଟେଷ୍ଟରେ ୮ଟି ଶତକ ହାସଲ କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଆଉ ଗୋଟିଏ ୱିକେଟ ନେଇ ୪୫୦ ୱିକେଟ ହାସଲ କରିବାରେ ଭାରତ ପକ୍ଷରୁ ଦୃତତମ ଖେଳାଳି ହେବାର ଲକ୍ଷ୍ୟ ରଖିଛନ୍ତି ।