ଝାଡୁ ଛାଡି ଆନ୍ଦୋଳନରେ ବିଏମସି ସଫେଇ ମଜଦୁର୍ ସଂଘ । ୫୦ଟି ୱାର୍ଡର ସଫେଇ କର୍ମଚାରୀ ସାମିଲ । କହିଲେ, ୯ ହଜାର ବଦଳରେ ମାସକୁ ଦିଆଯାଉ ୧୫ହଜାର ଟଙ୍କା

97

କନକ ବ୍ୟୁରୋ: ଦରମା ବୃଦ୍ଧି ଦାବି, ଝାଡୁ ଛାଡି ଆନ୍ଦୋଳନରେ ରାଜଧାନୀର ସଫେଇ କର୍ମଚାରୀ । ରାଜମହଲ ଫ୍ଲାଏଓଭର ତଳେ ଶହ ଶହ ସଫେଇ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବି ଗୁଡିକ ନେଇ ବିଏମସି କୌଣସି ପଦକ୍ଷେପ ନେଉନଥିବା ବେଳେ ସଫେଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

  • ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ
  • ଦରମା ବୃଦ୍ଧି ଦାବି, ଠିକାସଂସ୍ଥାର ମନମୁଖୀ କାମକୁ ବିରୋଧ

ଝାଡୁ ଛାଡି ବିଏମସି ସଫେଇ ମଜଦୁର ସଂଘ ଆନ୍ଦୋଳନକୁ ଓହ୍ଲାଇବା ପରେ ରାସ୍ତାକଡ, ଦୋକାନ ସମ୍ମୁଖ, ସହରର ବିଭିନ୍ନ ଗଳି କନ୍ଦିରେ କୁଢ କୁଢ ଅଳିଆ ପଡିରହିଛି । ଦରମା ବୃଦ୍ଧି ସାଙ୍ଗକୁ ଅନ୍ୟ ଦାବି ଗୁଡିକୁ ନେଇ ବିଭିନ୍ନ ସମୟରେ ଦାବି ସତ୍ୱେ କେହି ନ ଶୁଣିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ ।

  • ମାସକୁ ଦରମା ୯,୦୦୦ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଉ
  • ଆବର୍ଜନା ପୃଥକ କରିବାକୁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତି
  • ଠିକା ସଂସ୍ଥା ମନମୁଖୀ କାମ ଉପରେ ଅଙ୍କୁଶ ଲଗାଯାଉ

ଏସବୁ ଦାବିକୁ ନେଇ ରାଜମହଲ ଛକ ଫ୍ଲାଏଓଭର ତଳେ ଶହ ଶହ ସଫେଇ କର୍ମଚାରୀ ଏକଜୁଟ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ଝାଡୁ ଧରିବେ ନାହିଁ କି ସଫେଇ କରିବେ ନାହିଁ ବୋଲି ସଫେଇ କର୍ମଚାରୀ ସଫା ସଫା ଶୁଣାଇ ଦେଇଛନ୍ତି ।

ସଫେଇ କର୍ମଚାରୀଙ୍କ ଝାଡୁ ଛାଡ ଆନ୍ଦୋଳନ ପରେ ରାଜଧାନୀ ୫୦ଟି ୱାର୍ଡରୁ ଅଳିଆ ଉଠିନାହିଁ । ପରିମଳ ବ୍ୟବସ୍ଥା ଭୁଶୁଡି ପଡୁଥିବା ଦେଖି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି ବିଏମସି ମେୟର । ଆନ୍ଦୋଳନରୁ ଓହରି ସଫେଇ କାର୍ଯ୍ୟରେ ଯୋଗ ଦେବାକୁ ମେୟର ଅନୁରୋଧ କରିଛନ୍ତି । ସଫେଇ କର୍ମଚାରୀଙ୍କ ସମସ୍ତ ଦାବି ସରକାରଙ୍କୁ ଜଣାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ରାଜଧାନୀରୁ ଅଳିଆ ଉଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମେୟର ସୁଲୋଚନା ଦାସ । ତେବେ ବିଏମସି ମେୟରଙ୍କ ଆଲୋଚନା ସତ୍ୱେ ଜିଦରେ ଅଟଳ ରହିଛନ୍ତି ଶହ ଶହ କର୍ମଚାରୀ । ଏପଟେ ରାଜଧାନୀରେ ସକାଳୁ ସେମିତି କୁଢ କୁଢ ଅଳିଆ ପଡିଛି ।