ଆଉ ଶୁଭିବ ନାହିଁ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଶାଣିତ ସ୍ୱର । ଦୀର୍ଘଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ଥିବାବେଳେ ଆଜି ସକାଳେ ପରିଲୋକ ।

67

କନକ ବ୍ୟୁରୋ: ବିଧାନସଭାରେ ଲୋକଙ୍କ ପ୍ରସଙ୍ଗ ଉଠାଇ, ଗୃହରେ ବିଭିନ୍ନ ସମୟରେ ସରକାରଙ୍କୁ ଘେରୁଥିବା ବିଧାୟକ ବିଷ୍ଣୁ ସେଠୀଙ୍କ ସ୍ୱର ଆଉ ଶୁଭିବନି । ଶୁଭିବନି ତାଙ୍କର ଗୁରୁ ଗମ୍ଭୀର କଣ୍ଠସ୍ୱରରେ ଲୋକଙ୍କ ପାଇଁ ବିରୋଧୀ ଦଳର ଉପନେତା ଭାବରେ ସରକାରଙ୍କ ନିକଟରେ ରଖୁଥିବା ବିଭିନ୍ନ ଦାବି । କାରଣ ଆଜି ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ।

  • ପରଲୋକରେ ବିଷ୍ଣୁ ସେଠୀ
  • ୬୧ବର୍ଷ ବୟସରେ ଦେହାନ୍ତ

ବିଷ୍ଣୁ ସେଠୀ । ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ । ଧାମନଗର ଅଞ୍ଚଳରେ ଲୋକଙ୍କ ନେତା ଭାବେ ପରିଚିତ ବିଷ୍ଣୁଙ୍କର ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମାତ୍ର ୬୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ । ମାସକ ତଳେ ତାଙ୍କର ଲଙ୍ଗସ ସଂକ୍ରମଣ ଓ ବ୍ରେନ୍ ଷ୍ଟ୍ରୋକ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିଲେ । କିନ୍ତୁ ସକାଳେ ତାଙ୍କର ହୃଦଘାତ ହୋଇଥିଲା । ହୃଦଘାତ ପରେ ସକାଳ ପ୍ରାୟ ୭ଟା ୪୫ମିନିଟରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ ।

ବିଷ୍ଣୁ ସେଠୀଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଦଳ ମତ ନିର୍ବିଶେଷରେ ହସ୍ପିଟାଲରେ ଭିଡ ଜମାଇଥିଲେ ସବୁ ଦଳର ନେତା । ବିଷ୍ଣୁଙ୍କ ଶେଷ ଦର୍ଶନ କରିବା ସହ ଶୋକପ୍ରକାଶ କରିଥିଲେ । ସବୁଠାରୁ ବଡ କଥା ହେଉଛି, ଭିନ୍ନ ରାଜନୈତିକ ଆଦର୍ଶ ଓ ବିଚାର ସତ୍ୱେ ସେ କେମିତି ସବୁ ଦଳ ନେତାଙ୍କର ଅତି ପ୍ରିୟ ଥିଲେ ତାହା ସେମାନେ ବଖାଣିଥିଲେ ।

ବିଷ୍ଣୁଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ପିସିସି ସଭାପତିଙ୍କ ସମେତ ବହୁ ମନ୍ତ୍ରୀ , ବିଧାୟକ ଓ ନେତା ଶୋକ ପ୍ରକାଶ କରିଛନ୍ତି ।

ତେବେ ଦେହାନ୍ତ ପରେ ବିଷ୍ଣୁଙ୍କ ପାର୍ଥିବ ଶରୀରକୁ ଶେଷଥର ପାଇଁ ତାଙ୍କ କର୍ମକ୍ଷେତ୍ର ବିଧାନସଭାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ତାଙ୍କ ସାଥୀ ବିଧାୟକମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତାପରେ ତାଙ୍କ ମରଶରୀରକୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଦଳୀୟ ନେତା ଓ କର୍ମୀ । ଶେଷରେ ଜନ୍ମମାଟି ଭଦ୍ରକକୁ ନିଆଯାଇଥିଲା । ସେପଟେ ତାଙ୍କ ପ୍ରିୟ ନେତାଙ୍କୁ ହରାଇ ଝୁରୁଛନ୍ତି ତାଙ୍କର ହଜାର ହଜାର ସମର୍ଥକ ।