୩ଟି ଯାକ ମେୟର ପଦ ହାତେଇଲା ବିଜେଡି । ଭୁବନେଶ୍ୱରରେ ଜିତିଲେ ସୁଲୋଚନା, ବ୍ରହ୍ମପୁରରେ ସଂଘମିତ୍ରା,କଟକରେ ସୁବାସ ବିଜୟୀ ।

178

କନକ ବ୍ୟୁରୋ: କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ତିନିଟି ଯାକ ମେୟର ପଦ ହାତେଇଛି ବିଜେଡି । ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇଛନ୍ତି । ପ୍ରଥମ ଥର ପାଇଁ ମହିଳା ମେୟର ପାଇଛନ୍ତି ରାଜଧାନୀବାସୀ । ସେହିପରି କଟକରେ ବିଜୟ ଲାଭ କରିଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ସିଂ । ଅନ୍ୟପଟେ ବ୍ରହ୍ମପୁର ମେୟର ଭାବେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ତେବେ ଏହି ତିନିଟି ଯାକ ମହାନଗର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଭଳି ସହଜ ହୋଇନି । ଯଦିଓ ବିରୋଧୀ ପଛରେ ପଡିଛନ୍ତି । କିନ୍ତୁ ଶାସକ ଦଳକୁ କିଛିଟା ଟକ୍କର ଦେବାକୁ ସମର୍ଥ ହୋଇଛନ୍ତି ବିରୋଧୀ । ଭୁବନେଶ୍ୱରରେ ବିଜେଡିର ସୁଲୋଚନା ଦାସ ୧ ଲକ୍ଷ ୭୪ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁନୀତି ମୁଣ୍ଡ ୧ ଲକ୍ଷ ୧୩ ହଜାରରୁ ଅଧିକ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି । ତେବେ କଟକରେ ସୁବାସ ସିଂକୁ ଟକ୍କର ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା । ବ୍ରହ୍ମପୁରରେ ସଂଘମିତ୍ରା ଦଲେଇ ୨୦ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ହରାଇ ଦେଇଛନ୍ତି । ବ୍ରହ୍ମପୁରରେ ଆମ୍ ଆଦମୀ ପାର୍ଟି ତୃତୀୟ ସ୍ଥାନରେ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛି କଂଗ୍ରେସ ।