ପୌର ପରିଷଦରେ ଅଧିକ କାଉନସିଲର ଜିତିଥିବା ଦଳକୁ ମିଳିଲାନି ଅଧ୍ୟକ୍ଷ ପଦ । ଦୁଇଟି ପଦ ପାଇଁ ଅଲଗା ଅଲଗା ଦଳର ପ୍ରାର୍ଥୀ ଚୟନ କଲେ ଭୋଟର ।

256

କନକ ବ୍ୟୁରୋ: ରାଜ୍ୟର ଅନେକ ପୌର ପରିଷଦରେ ରୋଚକ ଫଳାଫଳ ଆସିଛି । ଗୋଟିଏ ଦଳର କାଉନସିଲର ସଂଖ୍ୟାଗରିଷ୍ଠ ଥିବା ବେଳେ ଅଧ୍ୟକ୍ଷ ସ୍ୱାଧୀନ କିମ୍ବା ଅନ୍ୟ ଦଳର ହୋଇଛନ୍ତି । ତେଣୁ ଆଗକୁ ପରିଷଦ କାହା ହିସାବରେ ଚାଲିବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ତେବେ ବ୍ୟବସ୍ଥା ରହିଛି ୨ ବର୍ଷ ପରେ ଅଧ୍ୟକ୍ଷ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିପାରିବେ କାଉନସିଲର । ଆଉ ସେଠାରେ ଉପନିର୍ବାଚନ ହେବ କିମ୍ବା ଭାଇସ୍ ଚେୟାରମ୍ୟାନ ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ।

ସଂଖ୍ୟାଗରିଷ୍ଠ ନଥିବା ଦଳର ପ୍ରାର୍ଥୀ ପୌରାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ କଣ ହେବ? ଅଧ୍ୟକ୍ଷଙ୍କ ହିସାବରେ ପରିଷଦ ଚାଲିବ ନା ପରିଷଦରେ ଥିବା ସଂଖ୍ୟା ଗରିଷ୍ଠ ସଦସ୍ୟଙ୍କ ଅନୁସାରେ ଚାଲିବ । ପୌର ଫଳାଫଳ ଆସିବା ପରେ ଏହା ଏବେ ସବୁଠାରୁ ବଡ ପ୍ରଶ୍ନ ।

ପୌର ନିର୍ବାଚନର ଫଳାଫଳ କିଛି ସ୍ଥାନରେ ଚକିତ କଲା ଭଳି ଆସିଛି । ଢେଙ୍କାନାଳ, ଜଗତସିଂହପୁର, ପାରାଦୀପ, ଅନୁଗୁଳ, ରେଢାଖୋଲ ଭଳି ଅନେକ ସ୍ଥାନରେ ପରିଷଦରେ ସଂଖ୍ୟା ଗରିଷ୍ଠତା ଗୋଟିଏ ଦଳର ଅଛି, କିନ୍ତୁ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଭିନ୍ନ ଦଳର । ସିଧାସଳଖ ପୌରାଧ୍ୟକ୍ଷ ନିର୍ବାଚନ ହେବାରୁ ଏଥର ଏଭଳି ଫଳାଫଲ ଆସିଛି । ଉଦାହରଣ ସ୍ୂରୂପ – ଜଗତସିଂହପୁରରେ କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ବିଜୟୀ ହୋଇଛନ୍ତି କିନ୍ତୁ ବିଜେଡି ୯ଟି ୱାର୍ଡ ଜିଣିଥିବା ବେଳେ କଂଗ୍ରେସ ୭ଟି ୱାର୍ଡରେ ବିଜୟୀ ହୋଇଛି ।

ସଂଖ୍ୟା ଗରିଷ୍ଠ ଦଳକୁ ଛାଡି ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ଅଧ୍ୟକ୍ଷ ହୋଇଥିଲେ, ଏସବୁ ପରିଷଦରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରିବେ କାଉନସିଲର । ନିର୍ବାଚନର ଦୁଇ ବର୍ଷ ପରେ କୌଣସି ଅଧ୍ୟକ୍ଷ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ବ୍ୟବସ୍ଥା ରହିଛି । ଯଦି ଅନାସ୍ଥା ପ୍ରସ୍ତାବରେ ତାଙ୍କୁ ବାହାର କରାଯାଏ, ତେବେ ପୁଣି ସେଠାରେ ଉପ ନିର୍ବାଚନ ହେବ । ପୂର୍ବରୁ ପୌରପରିଷଦ ନିର୍ବାଚନର ବିଜୟୀ କର୍ପୋରେଟର କିମ୍ବା କାଉନସିଲର ଅଧ୍ୟକ୍ଷ ନିର୍ବାଚନ କରୁଥିଲେ । କିନ୍ତୁ ଏଥର ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ମେୟର ଓ ଏନଏସି ଅଧ୍ୟକ୍ଷ ପାଇଁ ସିଧାସଳଖ ମତଦାନ କରିଛନ୍ତି ସାଧାରଣ ଜନତା ।