ବଡ ବଡିଆଙ୍କୁ ଝଟକା ! ନବୀନ ସରକାରଙ୍କ ପ୍ରଭାଶାଳୀ ମନ୍ତ୍ରୀ ନେତାଙ୍କ ପାଖରୁ ମୁହଁ ମୋଡିଲେ ଭୋଟର

30

କନକ ବ୍ୟୁରୋ : ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବି ମୟୁରଭଂଜ ଜିଲ୍ଲାରେ ବାଜି ମାରିଛି ବିଜେପି । ବଡ ବଡ ନେତାଙ୍କୁ ମିଳିଛି ଝଟକା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଂଜରେ ହୋଇଥିବା ମୋଟ୍ ୧୨ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ୧୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଶାସକ ବିଜେଡିକୁ ମାତ୍ର ଗୋଟିଏ ଆସନରେ ସନ୍ତୁଷ ହେବାକୁ ପଡିଛି ।

ସେହିପରି ଆଉ ଗୋଟିଏ ଜିଲ୍ଲା ପରିଷଦ ଆସନ ଯାଇଛି ଜେଏମ୍ଏମ୍ ପାଖକୁ । ମୟୁରଭଂଜ ଜିଲ୍ଲାରେ ବିଜେଡିର ଏହି ବିଫଳତା ମନ୍ତ୍ରୀ ସୁଦାମ ମାରଣ୍ଡି ଏବଂ ବରିଷ୍ଠ ବିଜେଡି ନେତା ସାନନ୍ଦ ମାରଣ୍ଡିଙ୍କୁ ବଡ ଧରଣର ଝଟକା ଦେଇଛି । ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେରେ ବି ବିଜେଡିକୁ ନିରାଶ ହେବାକୁ ପଡ଼ିଥିଲା । ମୋଟ୍ ୧୨ଟି ଆସନ ପୋଛି ନେଇଥିଲା ବିଜେପି ।

କଳାହାଣ୍ଡିରେ ବିଜୁ ଜନତା ଦଳକୁ ମିଳିଛି ବଡ ଧରଣର ଝଟକା । ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ସବୁ ୯ଟି ଯାକ ଜିଲ୍ଲାପରିଷଦ ଆସନ ପୋଛି ନେଇଛି ଭାରତୀୟ ଜନତା ପାର୍ଟି । ଜୁନାଗଡ ଓ ଗୋଲାମୁଣ୍ଡାରେ ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ରଙ୍କ ଝଟକା ଲାଗିଥିବା ବେଳେ କଲମପୁରରେ ମାତ ଖାଇଛନ୍ତି ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ବିଜେପି କଳାହାଣ୍ଡି ଜିଲ୍ଲାରୁ ୯ଟି ଜିଲ୍ଲା ପରିଷଦ ଆସନ ପାଇଥିଲା ।

ନରସିଂହପୁର ପରେ ଏବେ ବଡମ୍ବା ଦେଇଛି ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଝଟକା । ବଡମ୍ବା ବ୍ଲକରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନର ୩ଟି ଜୋନ୍ ବିଜେପି ହାତକୁ ଯାଇଥିବା ସୂଚନା ମିଳିଛି । ନୟାଗଡ଼ରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଏଥର ବିଜେପି ଦେଇଛି ବଡଧରଣର ଚ୍ୟାଲେଂଜ୍ । ଦ୍ୱିତୀୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବିଜେପି ଖାତକୁ ୩ଟି ଜିଲ୍ଲା ପରିଷଦ ଆସନ ଯାଇଥିବା ବେଳେ ମାତ୍ର ଗୋଟିଏ ଆସନରେ ଶାସକ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲାର ୬ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୨ଟି ଶାସକ ବିଜେଡିକୁ ମିଳିଥିବା ବେଳେ ୪ଟି ଅକ୍ତିଆର କରିଛି ବିଜେପି । ସାଂସଦ କଳିକେଶଙ୍କ ଗଡରେ ଏବେ ବିଜେପି ପ୍ରବେଶ କରିଛି ।ସମ୍ବଲପୁରର ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ହୋଇଥିବା ଭୋଟ ଗଣତିରେ ୩ଟି ଆସନ ହାତେଇଛି ବିଜେପି । ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ବିଜେଡିକୁ ପଡିଛି ।