ଖୋଲୁଛି କୋଟିପତି ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ ମହାପାତ୍ରଙ୍କ ଦୁର୍ନୀତି ପେଡ଼ି । ଠାବ ହେଲାଣି ୪ କୋଟି ଟଙ୍କାର ସମ୍ପତ୍ତି, ଆହୁରି ଚାଲିଛି ଖୋଜା

174

କନକ ବ୍ୟୁରୋ: ବିଶ୍ୱଜିତ୍ ମହାପାତ୍ର । ସୁନ୍ଦରଗଡର ଏଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଅର୍ଥାତ ଅତିରିକ୍ତ ଜିଲ୍ଲାପାଳ । ଏମାନଙ୍କର ଦାୟିତ୍ୱ ହେଉଛି, ଜନତାଙ୍କ ସେବା, ସେଥିପାଇଁ ତାଙ୍କୁ ମୋଟା ଅଙ୍କର ଦରମା ଦିଆଯାଏ, ତା ସହିତ ଘର ଗାଡି ଭଳି ଅନେକ ସୁବିଧା ସୁଯୋଗ ଦିଆଯାଏ । କିନ୍ତୁ ଏହି ଲୋଭି, ଅତ୍ୟନ୍ତ ସ୍ୱାର୍ଥପର ବ୍ୟକ୍ତିମାନେ ନିଜ ଦାୟିତ୍ୱ ଭୁଲି ଯାଇ,ନିଜ ପଦବୀର ଅପବ୍ୟବହାର କରି ସେବା କରିବା ବଦଳରେ ଜନତାଙ୍କୁ ଲୁଟ କରନ୍ତି ଏବଂ ଟଙ୍କା ସଂପତିର ସାମ୍ରାଜ୍ୟ ଠିଆ କରନ୍ତି । ସୁନ୍ଦରଗଡର ଏହି ଅତିରିକ୍ତ ଜିଲ୍ଲାପାଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଯେତିକି ଖୋଜା ଚାଲିଛି ତାଙ୍କର ସମ୍ପତ୍ତିିର ପରିମାଣ ସେତେ ବଢିବାରେ ଲାଗିଛି । ଭୁବନେଶ୍ୱର ଓ ଏହାର ଆଖପାଖ, ଜଗତସିଂହପୁର, ଅନ୍ୟ ଅଞ୍ଚଳରେ ଏହି ବାବୁ ଜଣଙ୍କର ବଡ ବଡ ଦଶଟି ପ୍ଲଟ ରହିଛି । ଏଥିସହ ପାଖପାଖି ଦୁଇ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍, ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା, ଆଲମାରିରେ ସାଢେ ତିନି ଲକ୍ଷ ଟଙ୍କା, ମ୍ୟୁଚୁଆଲ ଫଣ୍ଡରେ ୩୨ ଲକ୍ଷ ଟଙ୍କା ଏହିପରି କେତେ କଣ, ତାର ହିସାବ ନାହିଁ । ପୁଣି ଭୁବନେଶ୍ୱରରେ ଦୁଇ ଦୁଇଟି ବିରାଟ ଘର, ଯାହାର ଦାମ ପାଖାପାଖି ଦୁଇ କୋଟି ଟଙ୍କା ହେବ ।

ପିସି ସର୍ଦ୍ଦାର ବିଶ୍ୱଜିତ୍ ମହାପାତ୍ର 

  • ୨୦୨୦ ସେପ୍ଟେମ୍ବରରେ ଏହି ବାବୁ ଜଣକ, ସୁନ୍ଦରଗଡ ଏଡିଏମ ଭାବେ ଯୋଗ ଦେଲେ । ଏହା ପରେ କ୍ଲେମ କମିସନର ଦାୟିତ୍ୱ ନେଲେ । ଏମସିଏଲ କ୍ଷତିପୂରଣ ବାବଦରେ ସେହି ସମୟରେ କ୍ଷତିପୂରଣ ଦିଆଯାଉଥିଲା । ଏହି ବାବୁ ଜଣକ କ୍ଷତିପୂରଣ ଦେବା ପାଇଁ ମୋଟା ଅଙ୍କର ଅର୍ଥ ନେଉଥିଲେ ।
  • ଏହାପରେ ୨୦୨୧ରେ ସେ ଜିଲ୍ଲାସ୍ତରରେ ଅମୀନ, ରେଭେନ୍ୟୁ ଇନସ୍ପେକ୍ଟର ଓ କିରାଣୀଙ୍କ ଏକ ବଡ ଧରଣର ଜିଲ୍ଲାସ୍ତରୀୟ ବଦଳି କରିଥିଲେ । ଚର୍ଚ୍ଚା ହୁଏ ବଡ ରକମର ଟଙ୍କା ନେଇ ସେ ଏହି କାରବାର କରିଥିଲେ ।
  • ଜେଏସଡବ୍ଲୁ ପ୍ଲାଣ୍ଟ ଓ ଖଣି ସଂପ୍ରସାରଣ ସମୟରେ ଏକ ବଡ ଧରଣର ଅର୍ଥନୈତିକ କାରବାର ଏହି ବାବୁଙ୍କ ନେତୃତ୍ୱରେ ହୋଇଥିଲା ବୋଲି ଅଭିଯୋଗ ହୁଏ  ।

ଏସବୁ କଥାରୁ ଜଣେ ସରକାରୀ ବାବୁ କେମିତି ପିସି କାରବାର କରି ଏତେ ଟଙ୍କା ଠୁଳ କରିପାରେ ତାହା ସ୍ପଷ୍ଟ ଜଣାପଡୁଛି । କିନ୍ତୁ ଆହୁରି ଦୁଃଖର କଥା ହେଉଛି, ଆମ ସରକାରୀ ବ୍ୟବସ୍ଥା ବି ଏମିତି, ଯେଉଁଠି ଚାକିରି ଆରମ୍ଭରୁ ଲୁଟ କରି କରି ଚାକିରି ଶେଷ ବେଳକୁ ଧରାପଡୁଛି ।