ପିଲାଙ୍କ ଉପରେ ବଢୁଛି କି ମାନସିକ ଚାପ? ଦୀର୍ଘଦିନ ସ୍କୁଲ ବନ୍ଦ ଯୋଗୁଁ ପାଠପଢ଼ା ପ୍ରତି ହେଉଛି କି ଭୟ?

148

କନକ ବ୍ୟୁରୋ: ମାଲକାନଗିରିରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପରିବାର ଲୋକଙ୍କ କହିବା କଥା, ସ୍କୁଲ ଯିବାକୁ ସେ ରାଜି ହେଉ ନଥିଲେ । ବାରମ୍ବାର ବାଧ୍ୟ କରିବାକୁ ସେ କୀଟନାଶକ ପିଇ ଦେଇଥିଲେ । ତେଣୁ ଦୀର୍ଘ ଦିନ ଧରି ସ୍ଲୁଲ ବନ୍ଦ ଥିବାରୁ ପିଲାଙ୍କ ଉପରେ ମାନସିକ ଚାପ ବୃଦ୍ଧି ପାଇଛି ବୋଲି କହିଛନ୍ତି ବିଶେଷଜ୍ଞ ।

କରୋନା ମହାମାରୀ ଯୋଗୁଁ ରୋଜଗାର ହରାଇ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଉଥିବା ନେଇ ଚର୍ଚ୍ଚା ଭିତରେ ମାଲକାନଗିରିରୁ ଆସିଛି ଏକ ସମ୍ବେଦନଶୀଳ ଖବର । ସ୍କୁଲ ଯିବାକୁ କହିବାରୁ ଜଣେ ଦଶମ ଶ୍ରେଣୀର ଛାତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପରିବାର ଲୋକଙ୍କ କହିବା କଥା, ୭ ତାରିଖରେ ସ୍କୁଲ ଖୋଲିଥିବା ବେଳେ ସ୍କୁଲ ଯିବାକୁ ରାଜି ହୋଇ ନଥିଲେ ସତିଗୁଡା ସେବାଶ୍ରମର ଦଶମ ଶ୍ରେଣୀ ଛାତ୍ରୀ ଆନ୍ନା ରାୟ । ବାରମ୍ବାର ବିଦ୍ୟାଳୟ ଯିବାକୁ କହିବାରୁ ଶୁକ୍ରବାର ଦିନ କିଟନାଶକ ପିଇ ଦେଇଥିଲେ ଆନ୍ନା । ଗୁରୁତର ଅବସ୍ଥାରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ହେଲେ ଦିନକ ପରେ ତାଙ୍କର ମୃତ୍ୟୁ ଘଟିଛି ।

  • ପିଲାଙ୍କ ଉପରେ ବଢୁଛି କି ମାନସିକ ଚାପ?
  • ଦୀର୍ଘଦିନ ସ୍କୁଲ ବନ୍ଦ ଯୋଗୁଁ ପାଠପଢ଼ା ପ୍ରତି ହେଉଛି କି ଭୟ?

କାରୋନା କାଳରେ ପିଲାମାନେ ଦୀର୍ଘଦିନ ଧରି ବିଦ୍ୟାଳୟଠାରୁ ଦୂରରେ ରହିଛନ୍ତି । ମାଲକାନଗିରିରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବୟାନ କରୁଛି ପିଲାମାନେ ମାନସିକ ଚାପରେ ରହିଛନ୍ତି । ତେବେ କିପରି ପିଲାଙ୍କୁ ଚାପମୁକ୍ତ କରାଯିବ, ଏବେ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ । ଅନ୍ୟପଟେ ବିଦ୍ୟାଳୟର ପରିବେଶ, ପିଲାଙ୍କର ସବୁଠୁ ଅଧିକ ନିଜର ଥିଲା, ହେଲେ ମହାମାରୀ ସେମାନଙ୍କ ଅଭ୍ୟାସ ବଦଳାଇ ଦେଇଥିବା କହିଛନ୍ତି ବିଷେଷଜ୍ଞ ।