ବିହାର ହିଂସାକୁ ନେଇ ନିତୀଶ କୁମାରଙ୍କ ଇସ୍ତଫା ଦାବି କଲା ବିଜେପି । ଆରଜେଡି କହିଲା, ବିହାର ନୁହେଁ ବରଂ ୪୦ଲୋକସଭା ଆସନ ପାଇଁ ଚିନ୍ତା କରୁଛନ୍ତି ଅମିତ୍ ଶାହା

316

କନକ ବ୍ୟୁରୋ : ରାମନବମୀ ଦିନ ଆରମ୍ଭ ହୋଇଥିବା ହିଂସାର ନିଆଁରେ ଏବେ ବି ଜଳୁଛି ବିହାର । ଘରପୋଡି, ହଣାକଟା, ଦୋକାନ ଜାଳିବା ଭଳି ହିଂସା ଟିକେ ଥମିବା ଆରମ୍ଭ କରିଥିବା ବେଳେ ଏବେ ବିଜେପି ଓ ବିହାର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ରାଜ୍ୟର ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କ ସହ କଥା ହୋଇଛନ୍ତି ତ ସେପଟେ ଅମିତ୍ ଶାହାଙ୍କୁ ଟାର୍ଗେଟ କରିଛି ନିତୀଶ କୁମାରଙ୍କ ସହ ମେଣ୍ଟ କରିଥିବା ଆରଜେଡି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଗୃହମନ୍ତ୍ରୀ ଅମିତ୍ ଶାହା ରାଜ୍ୟପାଳଙ୍କ ସହ ଆଲୋଚନା କରିବା ପରେ ଆରଜେଡି ପ୍ରତିକ୍ରିୟା ରଖିଛି । ଦଳ ତରଫରୁ କୁହାଯାଇଛି କି, ଇଡି ଓ ସିବିଆଇକୁ ଲଗାଇ ବିହାର ସରକାର ଭାଙ୍ଗିବାରେ ବିଫଳ ହେବା ପରେ ଏବେ ଗୃହମନ୍ତ୍ରୀ ଅର୍ଦ୍ଧସାମରିକ ବଳ ସହାୟତାରେ ବିହାରରେ ନିଜର ଦବଦବା ଜାହିର କରିବାକୁ ଚାହୁଁଛି । ଆରଜେଡି ପ୍ରବକ୍ତ ମୁତ୍ୟୁଞ୍ଜୟ ତିୱାରୀ କହିଛନ୍ତି କି ଅମିତ୍ ଶାହାଙ୍କୁ ବିହାର ନୁହେଁ ବରଂ ବିହାରର ୪୦ ଲୋକସଭା ଆସନ ଉପରେ ଚିନ୍ତା ରହିଛି । ଏହାସହ ସେ କହିଛନ୍ତି କି ନିତୀଶ ଓ ତେଜସ୍ୱୀଙ୍କ ନେତୃତ୍ୱରେ ବିହାରରେ ଆଇନର ଶାସନ ଚାଲିଛି ତେଣୁ ବିଜେପି ନିଜ ଶାସିତ ରାଜ୍ୟରେ ହେଉଥିବା ଦଙ୍ଗା ଉପରେ ନଜର ରଖୁ ।

ସେପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି କି ଯଦି ବିହାରରେ ଚାଲିଥିବା ହିଂସା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ନାହିଁ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦିଅନ୍ତୁ । ଏହାସହ ବିହାର ଏବେ ସମ୍ପୂର୍ଣ୍ଣ ଭାବେ ପଶ୍ଚିମବଙ୍ଗର ମମତା ସରକାରଙ୍କ ରାସ୍ତାରେ ଚାଲିଛି । ପଶ୍ଚିମବଙ୍ଗରେ ଯେଭଳି ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରାଯାଉଛି ବିହାରରେ ମଧ୍ୟ ସମାନ ପରିସ୍ଥିତି ଉପୁଜାଇଛି ନୀତିଶଙ୍କ ସରକାର ।