ବନ୍ଧୁକ ମୁନରେ ବଡ ଡକାୟତି: ଏଟିଏମ୍ ଭ୍ୟାନରୁ ଦେଢକୋଟି ଟଙ୍କା ଲୁଟ୍

240

କନକ ବ୍ୟୁରୋ: ଏଟିଏମରେ ଟଙ୍କା ଭର୍ତି କରିବା ପାଇଁ ବାହାରିବା ସମୟରେ ଭାବିନଥିଲେ ତାଙ୍କ ସହ ଏମିତି ଅଘଟଣ ଘଟିଯିବ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ରାସ୍ତାରେ ବଡ ଧରଣର ଡକାୟତି । କର୍ମଚାରୀଙ୍କ କହିବା ଅନୁସାରେ ଭ୍ୟାନ ଗୋଡିଝରିଆର ନିଛାଟିଆ ସ୍ଥାନରେ ପହଂଚିବା ପରେ ଏକ ସ୍କର୍ପିଓ ଭ୍ୟାନ ଆଗରେ ଆସି ଛିଡା ହୋଇଗଲା । ମୁଖାପିନ୍ଧା ୬ରୁ ୭ଜଣ ଦୁର୍ବୃତ ସ୍କର୍ପିଓ ଏବଂ ସ୍କୁଟିରୁ ଚଟାପଟ ଓହ୍ଲାଇ ଭ୍ୟାନକୁ ଘେରିଯାଇଥିଲେ । ଏହା ଏତେ ଶୀଘ୍ର ଘଟିଗଲା ଯେ ଭ୍ୟାନରେ ଥିବା ଡ୍ରାଇଭର, ଗନମ୍ୟାନ ଓ କର୍ମଚାରୀ କିଛି ବୁଝିବା ଆଗରୁ ତାଙ୍କ ଆଡକୁ ବନ୍ଧୁକର ନଳୀ ଲମ୍ୱି ଆସିଲା । ଏହାପରେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଧମକ ଚମକ ଦେଇ ଭୟ ଭ୍ୟାନରେ ଥିବା କ୍ୟାସ ଟ୍ରଙ୍କକୁ ଲୁଟି ନେଲେ ଲୁଟେରା ଗ୍ୟାଙ୍ଗ । କ୍ୟାସ ଟ୍ରଙ୍କରେ ଦେଢ କୋଟିରୁ ଅଧିକ ଟଙ୍କା ଥିବା ସୂଚନା ମିଳିଛି ।

ଆଠଗଡର ଗୋଡିଝରିଆ ରାସ୍ତାରେ ଏଟିଏମ ଭ୍ୟାନ ଲୁଟ ଖବର ପାଇବା ପରେ ତତ୍ପର ହୋଇଛି ପୋଲିସ ପ୍ରଶାସନ । ଆଠଗଡ ଓ ତିଗିରିଆ ପୋଲିସର ମିଳିତ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଭ୍ୟାନରେ ଥିବା କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ଏଥିସହ ଆଠଗଡର ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରାଯାଇଛି । ଆଖପାଖର ଜିଲ୍ଲା ପୋଲିସ ସହ ଯୋଗାଯୋଗ କରାଯାଇଛି । ଏହି ଲୁଟ ଘଟଣାର ତଦନ୍ତ ଓ ଲୁଟେରାଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଲୁଟେରା ଫେରାର ହୋଇଥିବା ସ୍କର୍ପିଓ ଓ ସ୍କୁଟର ଖୋଜଖବର ପାଇଁ ପୋଲିସ ଖବରୀଙ୍କୁ ମଧ୍ୟ ଲଗାଇଛି ।

ଆଠଗଡର ଏଟିଏମ ଭ୍ୟାନରୁ କ୍ୟାସ ଟଙ୍କ ଲୁଟ ଘଟଣା ଅଂଚଳରେ ହଇଚଇ ଖେଳାଇ ଦେଇଛି । ଦିନ ଦିପହରରେ ଭ୍ୟାନରୁ ଦେଢ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଲୁଟେରା ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି ।