ଥମୁନି ଅଗ୍ନିପଥ ବିରୋଧୀ ଆନ୍ଦୋଳନ : ଆଜି ବିଭିନ୍ନ ସଂଗଠନର ଭାରତ ବନ୍ଦ ଡାକରା; ଭୁବନେଶ୍ୱରରେ ପୋଲିସ ଛାଉଣି

110

କନକ ବ୍ୟୁରୋ : ଭାରତୀୟ ସେନାର କଡା ଆଭିମୁଖ୍ୟ ସତ୍ୱେ ଅଗ୍ନିବୀର ବିବାଦ ଥମିବାର ନାଁ ନେଉ ନାହିଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଦେଶର ପ୍ରାୟ ଅଧାରୁ ଅଧିକ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବିଶେଷ କରି ଅଗ୍ନିପଥ ଯୋଜନା ବିରୋଧୀ ଆନ୍ଦୋଳନକାରୀଙ୍କ ଆନ୍ଦୋଳନ ଯୋଗୁଁ ରେଳବାଇର ବିଶେଷ କ୍ଷତି ହେବାରେ ଲାଗିଛି । ପରିସ୍ଥିିତିକୁ ନଜରରେ ରଖି ହାଇଆଲର୍ଟରେ ରହିଛନ୍ତି ଆରପିଏଫ ଓ ଜିଆରପି । ପ୍ରଦର୍ଶନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତୁପକ୍ଷ ଉଭୟ ସୁରକ୍ଷାବଳକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁମାନେ ଆନ୍ଦୋଳନ ନାଁରେ ହିଂସା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ସଂଗୀନ ଧାରାରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ଏଥିସହ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ମୋବାଇଲ, ସିସିଟିଭି, କ୍ୟାମେରାରେ କଏଦ ହୋଇଥିବା ଚିତ୍ରକୁ ଡିଜିଟାଲ ସାକ୍ଷୀ ଭାବେ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତ ବନ୍ଦ ସମୟରେ ଅଧିକ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀଙ୍କୁ ସେଫ୍ଟି ଗିୟର ପିନ୍ଧିବାକୁ କୁହାଯାଇଛି । ଯେଉଁ ଷ୍ଟେସନ ଗୁଡିକ ସମ୍ବେଦନଶୀଳ ସେଠିକୁ ବାରମ୍ବାର ଗସ୍ତ କରି ନିରିକ୍ଷଣ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଅଗ୍ନିପଥଙ୍କୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନର ଆନ୍ଦୋଳନ ଓ ବନ୍ଦକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।

– ବିହାରର ୧୭ ଜିଲ୍ଲାରେ ଇଂଟରନେଟ ସେବା ବନ୍ଦ
– ବିହାରର ବିଭିନ୍ନ ସ୍ଥାନରେ ବଢାଗଲା ସୁରକ୍ଷା
– ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପଞ୍ଜାବ ଓ ହରିୟାଣାରେ ହାଇଆଲର୍ଟ
– ସମସ୍ତ ସେନା ତାଲିମ କେନ୍ଦ୍ର ଆଗରେ କଡା ସୁରକ୍ଷା
– ହରିୟାଣାରେ ଫରିଦାବାଦରେ ୨ ହଜାର ସୁରକ୍ଷାକର୍ମୀ ମୁତୟନ
– ଝାଡଖଣ୍ଡର ଆଜି ସବୁ ସ୍କୁଲ ବନ୍ଦ ଘୋଷଣା
– ଭୁବନେଶ୍ୱରର ମୁଖ୍ୟ ଛକରେ ବ୍ୟାପକ ପୁଲିସ ମୁତୟନ

ସେପଟେ ଭୁବନେଶ୍ୱରରେ ମଧ୍ୟ ପୁଲିସ ସତର୍କ ହୋଇ ରହିଛି । ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପୁଲିସ ଛାଉଣୀ ହୋଇଛି । ଆଲର୍ଟରେ ଅଛି ପୁଲିସ ।