ଦେଶକୁ ମିଳିବ ପ୍ରଥମ ନାଜାଲ ଭ୍ୟାକସିନ୍, ଇଣ୍ଟ୍ରାନାଜାଲର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ

148

କନକ ବ୍ୟୁରୋ: କୋଭିଡ୍-୧୯ ସଂକ୍ରମଣକୁ ରୋକିବାରେ ଭାରତ ଆଉ ପାଦେ ଆଗକୁ ଯାଇଛି । ଦେଶରେ ପ୍ରଥମ ନାଜାଲ କୋଭିଡ୍ ଟିକାର ଟ୍ରାଏଲ ଶେଷ ହୋଇଛି । ଭାରତ ବାୟୋଟେକ କମ୍ପାନୀ ଏହି ଟିକା ପ୍ରସ୍ତୁତ କରିଥିବା ବେଳେ ଏହାର ଟ୍ରାଏଲ ଶେଷ ହୋଇଛି । ୪ ହଜାର ଜଣଙ୍କ ଉପରେ ଏହାକୁ ପରୀକ୍ଷା କରାଯାଇଛି ।

ଭାରତ ବାୟୋଟେକ ନିଜର ପ୍ରଥମ ନାଜାଲ କୋଭିଡ-୧୯ ଟିକା ପାଇଁ ଚଳିତ ମାସରେ ଡିସିଜିଆଇ ପାଖରୁ ଲାଇସେନ୍ସ ହାସଲ ପାଇଁ ଆଶା ରଖିଛି । ଭାରତ ବାୟୋଟେକର ଅଧ୍ୟକ୍ଷ ଡା କୃଷ୍ଣା ଏଲା କହିଛନ୍ତି କମ୍ପାନୀ ଭ୍ୟାକସିନ ପାଇଁ ଲାଇସେନ୍ସ ଆବେଦନ କରିବ । ଯଦି ସବୁକିଛି ଠିକ୍ ରହେ ତେବେ ଅଗଷ୍ଟ ଶେଷ ବେଳକୁ କରୋନା ଭୂତାଣୁ ବୁରୋଧରେ ଲୋକଙ୍କ ପାଇଁ ନାଜାଲ ଭ୍ୟାକସିନ ପ୍ରସ୍ତୁତ ହୋଇଯିବ । ତେବେ ଯଦି କରୋନାର ନୂଆ ଭାରିଆଣ୍ଟ ଆସେ ତେବେ ତା ସହ ଲଢେଇରେ ଏହା ସହାୟତା କରିବ ।

ଡା. ଏଲା କହିଛନ୍ତି, ଫାର୍ମରେ ପାଖାପାଖି ୪ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ନାଜାଲ ଭ୍ୟାକସିନର ଟ୍ରାଏଲ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ପାଶ୍ୱର୍ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଜାନୁଆରୀରେ ଡିସିଜିଆଇ ବୁଷ୍ଟର ଡୋଜ ଭାବେ ଭାରତ ବାୟୋଟେକର ନାଜାଲ କୋଭିଡ୍ ଟିକା ଇଣ୍ଟ୍ରାନାଜାଲର କ୍ଲିନିକାଲ ଟ୍ରାଏଲ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ଡିସିଜିଆ କୋଭାକ୍ସିନ ସହ ଅର୍ନ୍ତଜାତୀୟ କୋଭିଡ୍ ଟିକାର ତୁଳଣା କରିବା ପାଇଁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରିଥିଲା । ଏହି ପରୀକ୍ଷା ୯ଟି ସ୍ଥାନରେ ଶେଷ ହୋଇଛି ।

ଡା. ଏଲାଙ୍କ ସୂଚନା ଅନୁସାରେ କରୋନା ଟିକାକୁ ଇଞ୍ଜେକସନ ଭାବେ ଦେବା ଫଳରେ ଶରୀରର କିଛି ଅଂଶଙ୍କୁ ସୁରକ୍ଷା ଦିଆଯାଇପାରୁଛି । ତେଣୁ ଭ୍ୟାକସିନ ନେବା ପରେ ମଧ୍ୟ ଅନେକ ଜଣ କରୋନା ସଂକ୍ରମିତ ହେଉଛନ୍ତି । ତେବେ ନାଜାଲ ଭ୍ୟାକସିନ ନେବା ପରେ ଏହା ସାରା ଶରୀରକୁ ସୁରକ୍ଷା ପ୍ରଦାନ କରିଥାଏ । ଯାହା ଫଳରେ କରୋନା ଭୂତାଣୁଠାରୁ ଶରୀରକୁ ଦୂରେଇ ରଖାଯାଇପାରିବ ।