ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ : ପ୍ରଥମ ଦିନରେ ପଡ଼ିଲାନି ବିଶେଷ ପ୍ରଭାବ; ରାଜଧାନୀ ରାସ୍ତାରେ ପିକେଟିଂ କଲେ ଆନ୍ଦୋଳନକାରୀ

123

କନକ ବ୍ୟୁରୋ : କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ୍ ଡାକରାରର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନର ବନ୍ଦ ଡାକରା ବେଳେ ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସେଭଳି ପ୍ରଭାବ ପଡ଼ିନଥିବା ଦେଖିବାକୁ ମିଳିଛି । ୨ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟ ସଂଗଠନ । ହେଲେ ଭାରନ୍ଦ ବନ୍ଦରେ ସାମିଲ ହୋଇନାହିଁ ଉକ୍ରଳ ପେଟ୍ରୋଲିୟମ ସଂଘ । ବନ୍ଦରେ ସାମିଲ୍ ନହୋଇଥିଲେ ବି ଗତକାଲି କିଛି ସ୍ଥାନରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ରହିଥିବା ବେଳେ କିଛି ଖୋଲା ରହିଥିଲା । ତେଣୁ ଆଜି ଦ୍ୱିତୀୟ ଦିନରେ ବନ୍ଦର ପ୍ରଭାବ କେମିତି ରହୁଛି, ତାରି ଉପରେ ନଜର ରହିବ ।

ଆନ୍ଦୋଳନକାରୀମାନେ ରେଳ ଷ୍ଟେସନରେ ରେଳ ରୋକ କରିଥିଲେ। କେତେକ ବସ୍‌କୁ କିଛି ସମୟ ପାଇଁ ଅଟକାଇଥିଲେ । ପିକେଟିଂ କରି ବିଭିନ୍ନ ବ୍ୟାଙ୍କ ଶାଖା ବନ୍ଦ କରିଥିବା ବେଳେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ। କିନ୍ତୁ ସେମାନେ ଷ୍ଟେଟ୍‌ ବ୍ୟାଙ୍କ କାର୍ଯ୍ୟାଳୟକୁ ବନ୍ଦ କରିବାରେ ସଫଳ ହୋଇନଥିଲେ। ଓଡ଼ିଶା ବ୍ୟାଙ୍କ କର୍ମଚାରୀ ମହାସଂଘର ସାଧାରଣ ସମ୍ପାଦକ ପ୍ରକାଶ ରାୟ କହିଛନ୍ତି ଯେ ରାଜ୍ୟରେ ଥିବା ପ୍ରାୟ ୫୪୦୦ ବ୍ୟାଙ୍କ ଶାଖା ମଧ୍ୟରୁ ଅଧା ହେଉଛି ଷ୍ଟେଟ୍‌ ବ୍ୟାଙ୍କ ଶାଖା । ସେଗୁଡ଼ିକ ବାଦ ଦେଇ ଅନ୍ୟ ସବୁ ସରକାରୀ ବ୍ୟାଙ୍କର ଶାଖା ସୋମବାର ଦିନ ବନ୍ଦ ରହିଥିଲା। ବିଶେଷ କରି ଟ୍ରେଜେରି ଶାଖାଗୁଡ଼ିକ ବନ୍ଦ ରହିବା ଯୋଗୁଁ ବଡ଼ ଧରଣର କାରବାର ହୋଇପାରିନଥିଲା । ପେନ୍‌ସନ୍ ଜାରି କରିବା ଏବଂ ଠିକାଦାରମାନଙ୍କୁ ପେମେଣ୍ଟ୍‌ କରିବା ମଧ୍ୟ ସମ୍ଭବପର ହୋଇନାହିଁ। ଏହି ଧର୍ମଘଟରେ ରାଜ୍ୟରେ ୩,୨୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି ।

ଧର୍ମଘଟ ଯୋଗୁଁ ରାଜ୍ୟରେ ଦୋକାନ ବଜାର କୌଣସି ପ୍ରକାରରେ ପ୍ରଭାବିତ ହୋଇନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ରାଜ୍ୟ ବସ୍ ମାଲିକ ସଂଘର ପ୍ରବକ୍ତା ଦେବାଶିଷ ନାୟକ କହିଛନ୍ତି ଯେ ଅନ୍ୟ ଦିନଗୁଡ଼ିକ ଭଳି ଆଜି ବସ୍ ଚଳାଚଳ ସ୍ବାଭାବିକ ରହିନାହିଁ । ପ୍ରାୟ ୧୫-୨୦% ବସ୍‌ ଚଳାଚଳ ବନ୍ଦ ରହିବାରୁ ୮୦ ହଜାର ପାଖାପାଖି ଯାତ୍ରୀଙ୍କୁ ଅସୁବିଧା ସାମ୍ନା କରିବାକୁ ପଡ଼ିଛି ।