କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା । କିଛି ରାଜ୍ୟରେ ପଡିଲା ବନ୍ଦର ପ୍ରଭାବ ।

132

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ବିରୋଧ କରି ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ ପାଳନ କରୁଛି ଟ୍ରେଡ୍ ୟୁନିଅନ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ହେଉଥିବା ଏହି ଧର୍ମଘଟକୁ ଅନେକ ସଂଗଠନ ସମର୍ଥନ କରିଛନ୍ତି । ଅନ୍ୟପଟେ କେରଳ ହାଇକୋର୍ଟ ଏହି ପ୍ରସଙ୍ଗରେ ରାୟ ଦେଇ କହିଛନ୍ତି, କୌଣସି ସରକାରୀ କର୍ମଚାରୀ ଏହି ଦୁଇ ଦିନିଆ ଆନ୍ଦୋଳନରେ ସାମିଲ ହୋଇପାରିବେନି ।

ଦରଦାମ ବୃଦ୍ଧି, କେନ୍ଦ୍ରର ବିଭିନ୍ନ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆଜିଠୁ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ କରୁଛି । ଆଜି ପ୍ରଥମ ଦିନରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ରାଜଧାନୀ ଦିଲ୍ଲୀ, ୟୁପି, ହିନ୍ଦୀ ହାର୍ଟଲ୍ୟାଣ୍ଡ ସମେତ ଅନେକ ସ୍ଥାନରେ ଏହାର ପ୍ରଭାବ ମିଶ୍ରିତ ଦେଖିବାକୁ ମିଳିଛିି । ବନ୍ଦର ପ୍ରଭାବ ଯୋଗୁଁ ଦେଶର ଅନେକ ସ୍ଥାନରେ ରେଳ ଓ ଗାଡିମଟର ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଫଳରେ ଯାତାୟତ ଠପ ହୋଇପଡିଥିଲା ।

ରାଷ୍ଟ୍ରୀୟ ସଂସ୍ଥାକୁ ଘରୋଇକରଣର ବିରୋଧ, ଜନ ବିରୋଧୀ ଯୋଜନା ଓ ଦରବୃଦ୍ଧି ଭଳି ପ୍ରସଙ୍ଗକୁ ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଧର୍ମଘଟକୁ ଓହ୍ଲାଇଛି । ଏହି ୧୨ ଘଂଟିଆ ଧର୍ମଘଟକୁ ହିନ୍ଦ ମଜଦୁର ସଙ୍ଘ, ଲେବର ପ୍ରୋଗ୍ରେସିଭ ଫେଡେରେସନ ଭଳି ଅନେକ ସଂଗଠନ ସମର୍ଥନ କରିଛନ୍ତି । ସଙ୍ଘର କର୍ମକର୍ତା ମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ସେପଟେ ଧର୍ମଘଟ ଯୋଗୁଁ ବ୍ୟାଙ୍କ ଓ ଡାକଘର ସେବା ସମେତ ଅନେକ ଜରୁରୀକାଳିନ ସେବା ମଧ୍ୟ ପ୍ରଭାବିତ ହୋଇଛି । ସେପଟେ ଦରଦାମକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟକୁ ଅନେକ ରାଜନୈତିକ ଦଳ ମଧ୍ୟ ସମର୍ଥନ ଜଣାଇଛନ୍ତି । ବ୍ୟାଙ୍କ ଓ ଡାକଘର ସେବା ବନ୍ଦ ହେବା ଫଳରେ ୫୦ କୋଟିରୁ ଅଧିକ କାରବାର ପ୍ରଭାବିତ ହୋଇଥିବା ଜଣାପଡିଛି ।