ଭକ୍ତଙ୍କୁ ମିଳିଲା ନୂଆ ଦାୟିତ୍ୱ: କଂଗ୍ରେସ ପ୍ରଚାରର ଧରିବେ ମଙ୍ଗ

409

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇସାରିଲାଣି, ରାଜ୍ୟର ପ୍ରମୁଖ ରାଜନୈତିକ ଶିବିର ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏତିକି ବେଳେ କଂଗ୍ରେସ ଶିବିରରେ ଅସ୍ଥିରତା ଲାଗିରହିଛି । ଗତକାଲି ଅଚାନକ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଯଦିଓ ବିଜୟଙ୍କୁ ନିର୍ବାଚନ ସମନ୍ୱୟ କମିଟିର ଅଧ୍ୟକ୍ଷ ଭାବରେ ନୁଆ ନିଯୁକ୍ତି ମିଳିଛି, କିନ୍ତୁ କାହିଁକି ବିଜୟଙ୍କ ଦାୟିତ୍ୱ ପରିବର୍ତନ ହେଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ନିର୍ବାଚନ ତାରିଖ ଘୋଷଣା ସରିଛି, ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି, ଏହି ସମୟରେ ହଠାତ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ବଦଳାଇ ଦେଇଛି କଂଗ୍ରେସ । ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଠାଇ ଭକ୍ତ ଦାସଙ୍କୁ ଦାୟିତ୍ୱ ଦେଇଛି ଏଆଇସିସି । ନୂଆ ଦାୟିତ୍ୱ ମିଳିବା ପରେ ଭକ୍ତଙ୍କୁ କଂଗ୍ରେସର ଯୁବ ଓ ଛାତ୍ର ନେତାମାନେ ଦିଲ୍ଲୀରେ ଭେଟି ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଭକ୍ତ କହିଛନ୍ତି, ଓଡିଶାରେ ନୂଆ ଢ଼ଂଗରେ ପ୍ରଚାର କରି କଂଗ୍ରେସ ଗ୍ୟାରେଂଟିକୁ ଲୋକଙ୍କ ପାଖରେ ପହଁଚାଇବି । ବିଧାନସଭା ଓ ଲୋକସଭାରେ କଂଗ୍ରେସ ଅଧିକ ଆସନ ଜିତିବା ପାଇଁ ଉଦ୍ୟମ କରିବି ।

ନିର୍ବାଚନ ପ୍ରଚାର ପାଇଁ ଯେତେବେଳେ ସବୁ ଦଳ ଲାଗି ପଡିଲେଣି ସେତିକିବେଳେ, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ପରିବର୍ତନ କରିବା ଚର୍ଚ୍ଚାର ବିଷୟ ହୋଇଛି । ବିଜୟଙ୍କୁ ନିର୍ବାଚନ ସମନ୍ୱୟ କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲେ ବି କାହିକି ତାଙ୍କୁ ପ୍ରଚାର କମିଟିରୁ ହଟାଇ ଦିଆଗଲା, ତାହା କଂଗ୍ରେସ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ନିର୍ବାଚନ ପୂର୍ବରୁ ଶୀର୍ଷ ନେତୃତ୍ୱ ଏଭଳି ଗୋଟିଏ ନିଷ୍ପତି କାହିଁକି ନେଲେ, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । କୁହାଯାଉଛି, ଦୁଇଟି ଇସ୍ତାହାର ପ୍ରକାଶକୁ ନେଇ ବିବାଦ ଓ ଇସ୍ତାହାରକୁ ନେଇ ପଂଚାନନ କାନୁନଗୋଙ୍କ ବିଜୟଙ୍କ ବିରୋଧରେ ଅଭିଯୋଗ ପରେ ଦଳୀୟ ଅସନ୍ତୋଷ ଦେଖା ଦେଇଥିଲା । ଏଥିସହ କିଛି କଂଗ୍ରେସ ନେତା ଦିଲ୍ଲୀରେ ବିଜୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହାଫଳରେ ଏଭଳି ପରିବର୍ତନ ହୋଇପାରିଥାଇପାରେ ବୋଲି କୁହାଯାଉଛି । ତେବେ ନିର୍ବାଚନ ସମୟରେ ସମନ୍ୱୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ତେଣୁ ଏଆଇସିସି ତାଙ୍କୁ ଏହି ଦାୟିତ୍ୱ ଦେଇଛି । ତେବେ ନେତାଙ୍କ ବାଦ ବିବାଦ ଭିତରେ କଂଗ୍ରେସ କେତେ ସଫଳ ହେଉଛି, ତାହା ଆଗାମି ଦିନରେ ସ୍ପଷ୍ଟ ହେବ ।