ପୁରସ୍କାର ହେଲା କାଳ ! ରାଷ୍ଟ୍ରପତି ପୁରସ୍କାର ମିଳିଥିବାରୁ ଭଦ୍ରକର ଭାଟପଡା ପଂଚାୟତର ଲୋକଙ୍କୁ ମିଳୁନି ପାଇଖାନା

1,145

କନକ ବ୍ୟୁରୋ: ପୁରସ୍କାର ଯୋଗୁଁ ମିଳୁନି ପାଇଖାନା । ରାଷ୍ଟ୍ରପତିଙ୍କଠାରୁ ନିର୍ମଳ ପଂଚାୟତ ପୁରସ୍କାର ପାଇଥିବାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଭାଟପଡ଼ା ପଂଚାୟତର ଲୋକଙ୍କୁ ମିଳୁନି ପାଇଖାନା । ପଂଚାୟତର ସମସ୍ତ ଲୋକଙ୍କ ଘରେ ପାଇଖାନା ନିର୍ମାଣ ହୋଇଛି ଦର୍ଶାଇ ୨୦୦୮ ମସିହାରେ ପଂଚାୟତକୁ ନିିର୍ମଳ ପଂଚାୟତ ପୁରସ୍କାର ପାଇଁ ବଛାଯାଇଥିଲା । ଏଥିପାଇଁ ରାଷ୍ଟ୍ରପତି ଭାଟପଡ଼ା ପଂଚାୟତର ସରପଂଚକୁ ଗୌହାଟିରେ ସମ୍ବର୍ଦ୍ଧିତ କରିଥିଲେ । ମାତ୍ର ସୂଚନା ଅଧିକାର ଆଇନରୁ ଏଥିରେ ପ୍ରାୟ ୯୦ ପ୍ରତିଶତ ପାଇଖାନା ତିଆରି ନହୋଇ ବିଭିନ୍ନ ଲୋକଙ୍କ ଜାଲ୍ ଦସ୍ତଖତରେ ଟଙ୍କା ଉଠାଇ ନିଆଯାଇଥିବା ଦେଖାଯାଇଥିଲା । ଏଥିରେ ସରକାରୀ ଅଧିକାରୀ ଓ ଏନଜିଓଗୁଡ଼ିକ ସଂଶ୍ଲିଷ୍ଟ ଥିବା ଦେଖାଯାଇଥିଲା ।

କାଗଜରେ ସମସ୍ତଙ୍କର ପାଇଖାନା ହୋଇଛି ଦର୍ଶାଇ ଭାଟପଡ଼ା ପଂଚାୟତକୁ ଆଉ ନୂଆ ପାଇଖାନା ମଂଜୁର କରାଯାଇନଥିଲା । ଲୋକଙ୍କୁ ପାଇଖାନା ମିଳିନଥିଲା । ସେମାନେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଂଚାୟତିରାଜ ସଚିବ ଦେଓରଂଜନ ସିଂ ମାମଲା ଶୁଣାଣି କରିଛନ୍ତି । ଗ୍ରାମବାସୀମାନେ ଆଜି ଏ ନେଇ ସଚିିବାଳୟ ଆସି ସେମାନଙ୍କର ଅଭିଯୋଗ କହିଥିଲେ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଅନ୍ୟପଟରେ ଏନେଇ କ’ଣ କରାଯିବ ବିଚାର କରାଯାଉଛି ବୋଲି ସଚିବ କହିଥିଲେ ।