ମାନସିକ ବିକାରଗ୍ରସ୍ତ ମୀନା ପାଦରେ ପଡ଼ିଛି ବେଡ଼ି ! ଦୀର୍ଘ ୩୨ ବର୍ଷ ହେବ ଶିକୁଳି ଶାସ୍ତି ସହୁଛି ଝିଅ, ବେଡ଼ିରୁ ମୁକୁଳେଇବା ପାଇଁ ମଉଳିନି ବାପା-ମାଆଙ୍କ ଆଶା

347

କନକ ବ୍ୟୁରୋ: ଅଭିଶପ୍ତ ପାଲଟିଛି ଜୀବନ । ଦୀର୍ଘ ୩୨ ବର୍ଷ ପରେ ବି ପଡ଼ିଛି ପାଦରେ ବେଡ଼ୀ । ଖାଇବାକୁ ଦେଲେ ଖାଉଛି, ନଦେଲେ ସେମିତି ପଡି ରହିଛି । ଏମିତି ଏକ କାଳ୍ପନିକ କରୁଣ କାହାଣୀ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତିରିମଲର ଗାଁରେ ଯେଉଁଠି ୩୨ ବର୍ଷର ମାନସିକ ବିକାରଗ୍ରସ୍ତ ଝିଅ ପାଲଟିଛି ବୃଦ୍ଧ ବାପା ମା’ଙ୍କ ବୋଝ ।

ସମୟ ଗଡିଛି, ଦୁଃଖ ବି ବଢିଛି । ହେଲେ ବାପା-ମାଆଙ୍କ ଆଶା ମରିନି । ଆଜି ବି ଆଶା ଅଛି ଉତମ ଚିକିତ୍ସା ମିଳିଲେ, ଝିଅ ସୁସ୍ଥ ହେବ, ମାଆ ଆଖିର ଲୁହ ଶୁଖିବ । ୩୨ ବର୍ଷର ଝିଅ ଆଜି ବି ଗୁରୁଣ୍ଡି-ଗୁରୁଣ୍ଡି ଚାଲୁଛି, ଛୁଆଙ୍କ ଭଳି କାନ୍ଦୁଛି, ମାଆ ପାଖରେ ଅଳି କରୁଛି । ଭୋକ-ଶୋଷ ଜାଣି ପାରୁନି କି, ଭଲ-ମନ୍ଦ କିଛି ବୁଝି ପାରୁନି । ପିଲାଟି ଦିନରୁ ରୋଗାକ୍ରାନ୍ତ ଓ ମାନସିକ ବିକାରଗ୍ରସ୍ତ ହୋଇ ବଂଚିବାକୁ ସଂଘର୍ଷ କରୁଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତିରିମଲର ଗାଁରେ ମିନା ସେଠୀ । ଝିଅ କାଳେ କୁଆଡେ ପଳାଇବ କି କାହାକୁ ମରାମରି କରିବ, ସେଥିପାଇଁ ତା ଗୋଡକୁ ଶିକୁଳିରେ ବାନ୍ଧି ରଖୁଛନ୍ତି ଅସହାୟ ବୃଦ୍ଧ ବାପା-ମାଆ ।

ଅନ୍ୟପଟେ ପରିଣତ ବୟସରେ ଝିଅର ଲାଳନପାଳନ ଓ ଚିକିତ୍ସା ନେଇ ଏବେ ଚିନ୍ତାରେ ମିନାଙ୍କ ବାପା ଓ ମା’ । ଚିକିତ୍ସା ଅପେକ୍ଷାରେ ଥିବା ମିନାଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଭିତରେ ତାଙ୍କ ପରିବାର । ଯଦି ପ୍ରଶାସନ ମିନାଙ୍କ ଚିକିତ୍ସା ଦିଗରେ କିଛି ପଦକ୍ଷେପ ନିଅନ୍ତେ ତା ହେଲେ ଗୋଟିଏ ଅସହାୟ ପରିବାରକୁ ରାହା ମିଳିଯିବା ସହ ମିନା ମାନସିକ ବିକାରଗ୍ରସ୍ତରୁ ଭଲ ହୋଇ ପାରନ୍ତେ ।