ମୋ ବସରେ ଯାଉଥିଲେ ସାବଧାନ୍। ଆଖିପିଛୁଳାକେ ମୋବାଇଲ ହେଉଛି ଲୁଟ୍

368

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ଲୁଟେରା । ଏହି ଲୁଟେରାଙ୍କ ଟାର୍ଗେଟରେ ବର୍ତ୍ତମାନ ନୀରିହ ବସଯାତ୍ରୀ । ଦିନକୁ ଦିନ ଭୁବନେଶ୍ୱରରେ ବସରେ ଲୁଟ ବଢିଚାଲିଛି । ଆଉ ଗରିବ ଯାତ୍ରୀ ମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ବିଶେଷ କରି ବସରେ ମୋବାଇଲ ଏବଂ ପର୍ସକୁ ଟାର୍ଗେଟ କରାଯାଉଛି । ଯାହାର ଉଦାହରଣ ହେଉଛି ୧୮ ନଂ ବସ । ୧୮ ନଂ ରୁଟରେ ଯାଉଥିବା ଏହି ବସରୁ ଦାମୀ ମୋବାଇଲ ଲୁଟ ହୋଇଛି । ଫାୟାର ଷ୍ଟେସନ ଏବଂ ଜୟଦେବ ବିହାର ଛକରୁ ଏହି ଚୋରୀ ହୋଇଥିବା ବେଳେ ଚିନ୍ତାରେ ଯାତ୍ରୀ । ତେବେ ସବୁଠାରୁ ବଡ କଥା, ଯାତ୍ରୀ ଭାବେ ଆସି ଅନ୍ୟ ଯାତ୍ରୀଙ୍କୁ ଲୁଟ କରାଯାଉଛି । ଆଉ ବସର କର୍ମଚାରୀଙ୍କୁ ଯେତେବେଳେ ଗାଡି ଅଟକାଇବା ପାଇଁ କୁହାଯାଉଛି ସେମାନେ ଶୁଣିବାକୁ ନାରାଜ ।

ଯେତେବେଳେ ଯାତ୍ରୀ ଜଣଙ୍କ କହୁଛନ୍ତି ଯେ ବସରେ ଲୁଟେରା ରହିଛି ଗାଡି ଅଟକାଯାଉ, ସେତେବେଳେ ଗାଡିର କର୍ମଚାରୀ ଗାଡି ଅଟକାଉନାହାନ୍ତି । ସେହିଭଳି ଅନେକ ସମୟରେ କର୍ମଚାରୀ ମାନେ ନିଶାସେବନ କରି ଗାଡି ଚଳାଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଅସାଧୁ କର୍ମଚାରୀ ମଧ୍ୟ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି । ଗୋଟିଏ ପଟେ ସ୍ମାର୍ଟ ସିଟି, ସ୍ମାର୍ଟ ବସ କହି ପୁରସ୍କାର ପାଉଥିବା ବେଳେ ବର୍ତ୍ତମାନ ଏଭଳି ଚିତ୍ର ନିହାତି ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ବସରେ ସିସିଟିଭି ଥାଇ ମଧ୍ୟ ଏହା ଲୋକଙ୍କ କାମରେ ଆସିପାରୁନାହିଁ । ବର୍ତ୍ତମାନ ଏନେଇ ନୟାପଲ୍ଲୀ ଥାନାରେ ଦୁଇଟି ମାମଲା ରୁଜୁ କରିଛନ୍ତି ଚୋରୀର ଶିକାର ବ୍ୟକ୍ତି ।

ରାଜଧାନୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଚୋର, ଡକାୟତ, ନିଶା କାରବାର ବଢିଚାଲିଛି । ମୋ ବସ ମଧ୍ୟ ଚୋର, ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି । କମିଶନରେଟ ପୋଲିସ ବର୍ତ୍ତମାନ ଯଦି ଏଥିପ୍ରତି ଦୃଷ୍ଟି ନଦିଏ ତେବେ ଆଗାମୀ ଦିନରେ ଏଭଳି ସମସ୍ୟା ବଢିବାରେ ଲାଗିବ ।