ଅବସର ପରେ ଜଷ୍ଟିସ ନାଜିର ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତ: ବିରୋଧୀ କହିଲେ ଯିଏ କରିବ ମୋଦୀ ସରକାରର କାମ ସେ ପାଇବ ନିଯୁକ୍ତି

125

କନକ ବ୍ୟୁରୋ: ଅଯୋଧ୍ୟା ଋାମ ମନ୍ଦିର, ଟ୍ରିପଲ ତଲାକ, ନୋଟ ବନ୍ଦୀ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରପତି ଥିଲେ ଜଷ୍ଟିସ ଅବଦୁଲ ଏସ ନାଜିର । ନିକଟରେ ସେ ଅବସର ଗ୍ରହଣ କରିଥିଲେ । ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଏହାକୁ ନେଇ ବିବାଦ ବଢିବାରେ ଲାଗିଛି । ମୁଖ୍ୟତଃ ଏହି ତିନି ପ୍ରସଙ୍ଗକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ସମାଲୋଚନା କରିଆସୁଥିଲା । କିନ୍ତୁ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛି । ଆଉ ଯେଉଁ ବିଚାରପତି ଏହି ମାମଲା ସହ ଜଡିତଥିଲେ ସେ ଏବେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । କଂଗ୍ରେସ ଏହି ନିଯୁକ୍ତିଙ୍କୁ ନେଇ ସନ୍ଦେହ ପ୍ରକାଶ କରିବା ନ୍ୟାୟପାଳିକା ସ୍ୱାଧୀନତା ବିପଦରେ ଥିବା ଅଭିଯୋଗ ଆଣିଛି କଂଗ୍ରେସ ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସ୍ୱର୍ଗତ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ଜେଟଲିଙ୍କ ଏକ ଭିଡିଓ ଟୁଇଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ଯେଉଁ ଭିଡିଓରେ ଜେଟଲି କହୁଛନ୍ତି, ଅବସର ପୂର୍ବରୁ ବିଚାରପତି ଦେଇଥିବା ରାୟ ଅବସର ପରେ ମିଳୁଥିବା ନିଯୁକ୍ତିକୁ ପ୍ରଭାବିତ କରିଥାଏ । ଅରୁଣ ଜେଟଲୀଙ୍କ ଏହି ଭିଡିଓ ୨୦୧୨ ମସିହାର । ଯେଉଁ ସମୟରେ କେନ୍ଦ୍ରରେ ବିରୋଧୀ ଆସନରେ ଥିଲା ବିଜେପି । ଆଉ କ୍ଷମତାର ଥିଲା କଂଗ୍ରେସ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ରାଜ୍ୟପାଳ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇବା ପରେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ କିରଣ ରିଜିଜୁ । ସେ କହିଛନ୍ତି, ବିରୋଧ କରୁଥିବା ବ୍ୟକ୍ତି ବୁଝିବା ଦରକାର ଯେ ଭାରତ ଏବେ କେଉଁ ପରିବାର ନିୟନ୍ତ୍ରଣରେ ନାହିଁ । ସମ୍ବିଧାନର ନିୟମ ଅନୁଯାୟୀ ରାଜ୍ୟପାଳ ନିଯୁକ୍ତ କରାଯାଇଛି ।

ଜଷ୍ଟିସ୍ ଅବଦୁଲ ଏସ ନାଜିର ବାବ୍ରୀ ମସଜିଦ ମାମଲାର ଶୁଣାଣି ପାଇଁ ଗଠିତ ଖଣ୍ଡପୀଠରେ ଥିଲେ ଏକମାତ୍ର ମୁସଲିମ ବିଚାରପତି । କେବଳ ଜଷ୍ଟିସ୍ ନାଜିର ନୁହେଁ ଏହା ପୂର୍ବରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କୁ ଅବସର ପରେ ରାଜ୍ୟସଭା ପଠାଯାଇଥିବାର ନଜିର ରହିଛି । ଯଦିଓ ଏହା ସାମ୍ବିଧାନିକ ନିୟମ ଅନୁଯାୟୀ ହୋଇଛି, ହେଲେ ସୁପ୍ରମିକୋର୍ଟର ବିଚାରପତିଙ୍କୁ ଏଭଳି ନିଯୁକ୍ତି ନ୍ୟାୟପାଳିକାର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇଛି ।