କମିଲା ବର୍ଷା, ସାମାନ୍ୟ ସୁଧୁରିଲା ବଲାଙ୍ଗୀରର ପରିସ୍ଥିତି। ଏବେବି ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା। ବିଦ୍ୟୁତ,ପାଣି ନଥିବାରୁ ବଢୁଛି ଲୋକଙ୍କ ଦୁର୍ଦ୍ଦଶା

276

କନକ ବ୍ୟୁରୋ: ବଲାଙ୍ଗୀର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର । କିଛି ଅଞ୍ଚଳରେ ପାଣି କମିଛି । ହେଲେ ପୁରା ପାଣି ଛାଡି ନାହିଁ । ଏବେ ବି ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି । ଗତକାଲି ସହର ଭିତର ଦେଇ ଯାଇଥିବା ଲକ୍ଷ୍ମୀଜୋର ଉଛୁଳିବାରୁ ଜଳବନ୍ଦୀ ପାଲଟି ଯାଇଥିଲେ ସହରବାସୀ । ବଲାଙ୍ଗୀରର ଏଭଳି କୌଣସି ଗଳି କିମ୍ବା ସାହି ନାହିଁ, ଯାହା ବନ୍ୟା ଦ୍ୱାରା ପ୍ରଭାବିତ ହୋଇନି । ବର୍ତ୍ତମାନ ଘରଛାଡ଼ି ଲୋକମାନେ ବିଭିନ୍ନ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆଶ୍ରା ନେଇଛନ୍ତି ।

ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଯୋଗାଯୋଗ ପ୍ରଭାବିତ ହୋଇଛି , ବିଜୁଳି ସେବା ବନ୍ଦ ରହିଛି । ସହରର ପ୍ରାୟ ୯୦ ପ୍ରତିଶତ ଅଂଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଶେଷ କରି ତଳିଆ ଅଂଚଳର ଲୋକମାନଙ୍କୁ ଉଦ୍ଧାର କରିବା କାମରେ ଓଡ୍ରାଫ ଟିମ ଲାଗିପଡିଥିବା ବେଳେ ଜିଲ୍ଲାପାଳ ସ୍ଥିତି ତଦାରଖ କରୁଛନ୍ତି । ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।