ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ସଙ୍କଟ : ବଢିଲା ସୁନା ଦର; ଚିନ୍ତାରେ ଗ୍ରାହକ ଓ ଦୋକାନୀ

145

କନକ ବ୍ୟୁରୋ : ଆମେରିକା ଏବଂ ୟୁରୋପରେ ବ୍ୟାଙ୍କିଂ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି । ଫଳରେ ସୁନା ବଜାର ମଧ୍ୟ ପ୍ରଭାବିତ ହୋଇଛି । ସୁନା, ରୂପା ଦରରେ ନିଆଁ ଲାଗିଯାଇଛି । ସୁନା, ରୂପା ଦାମରେ ପ୍ରତିଦିନ ବୃଦ୍ଧି ଘଟୁଥିବା ବେଳେ ଗତ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ସୂନା ୧୦ ଗ୍ରାମ ପିଛା ଦର ୪ ହଜାର ୯୦୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ରୂପା କିଲୋ ଦାମ ୫ ହଜାର ବୃଦ୍ଧି ପାଇଛି ।

ଯଦି ବ୍ୟାଙ୍କି କ୍ଷେତ୍ରରେ ଦେଖାଦେଇଥିବା ଏହି ସଙ୍କଟର ଶୀଘ୍ର ସମାଧାନ ନହୁଏ, ତେବେ ଦାମ ଆହୁରୀ ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆମେରିକାର ସିଲିକନ ଭେଲି, ସିଗ୍ନେଚର ବ୍ୟାଙ୍କ ଏବଂ ସୁଇଜରଲାଣ୍ଡରେ କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ଭଳି ବଡ ବଡ ବ୍ୟାଙ୍କ ବୁଡିଯିବା ଯୋଗୁ ଷ୍ଟକ ବଜାରରେ କାରବାର ମାନ୍ଦା ଚାଲିଥିବା ବେଳେ ସୂନା, ରୁପା ଦର ବୃଦ୍ଧି ପାଇବାରେ ଲାଗିଛି ।

ଜଣେ ଗହଣା ଦୋକାନୀଙ୍କ ସୂଚନା ମୁତାବକ, ଗତ ୧୦ ତାରିଖରେ ୨୨ କ୍ୟାରେଟ ସୂନାର ୧୦ ଗ୍ରାମର ମୂଲ୍ୟ ୫୦ ହଜାର ୫୦୦ ଥିବା ବେଳେ ଏବେ ୫୫ ହଜାର ୪୦୦ ଛୁଇଁଛି । ସେହିପରି ୨୪ କ୍ୟାରେଟ ସୂନାର ୧୦ ଗ୍ରାମର ମୂଲ୍ୟ ୫୭ ହଜାର ୬୨୦ ଥିବା ବେଳେ ଏବେ ୬୧ ହଜାର ୪୦୦ ଛୁଇଁଛି । ରୂପା କିଲୋ ୬୫ ହଜାର ଥିବା ବେଳେ ଏବେ ୭୦ ହଜାର ଛୁଇଛି । ବିବାହ ଋତୁରେ ଏଭଳି ସୂନା ଦର ବୃଦ୍ଧି ଉଭୟ ଗ୍ରାହକ ଏବଂ ଦୋକାନୀଙ୍କ ଚିନ୍ତା ବଢାଇ ଦେଇଛି ।