ରାଜଧାନୀରେ ଘରେ ପଶି ଭଡ଼ାଟିଆଙ୍କୁ ଆକ୍ରମଣ ଘଟଣା: ୧୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ, ଅଭିଯୁକ୍ତଙ୍କ ସହ ଜଣେ ପୋଲିସ କର୍ମଚାରୀ ସମ୍ପୃକ୍ତ ।

1,420

କନକ ବ୍ୟୁରେ: ଭୁବନେଶ୍ୱର ନୟାପଲ୍ଲିରେ ଘରେ ପଶି ଭଡାଟିଆଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ୧୫ ଜଣଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ୧୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ । ଅଭିଯୁକ୍ତଙ୍କ ସହ ଘରେ ପଶି ସମର୍ଥନ କରିଥିଲେ ପୁଲିସ କର୍ମଚାରୀ । ତେବେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କନକ ନୁଜ୍ୟକୁ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏତଲା ମୁତାବକ ପ୍ରାୟ ୪୦ରୁ ୫୦ ଜଣ ଏକ ଜିପରେ ଆସି ଆଇଆରସି ଭିଲେଜରେ ଭଡାରେ ରହୁଥିବା ପ୍ରଣବ ରାୟଙ୍କୁ ଆକ୍ରମଣ କରିବା ସହିତ ଲୁହା ରଡ୍ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ପ୍ରାୟ ଅଧଘଂଟାରୁ ଅଧିକ ସମୟ ଧରି ସେମାନେ ଏପରି ଉନ୍ମତ କାଣ୍ଡ ଘଟାଇବା ପରେ ନୟାପଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ତେବେ ଏହି ଘଟଣା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆହତ ପ୍ରଣବଙ୍କ ଝିଅ ତାନ୍ୟା ରାୟ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ନିଜେ ଉପସ୍ଥିତ ରହି ଏହି ଯୁବକମାନଙ୍କୁ ଭଙ୍ଗାରୁଜା କରିବାକୁ ନିର୍ଦ୍ଦେଶ ଦେଉଥିଲେ ବୋଲି ଏତଲାରେ କୁହାଯାଇଛି ।

ତେବେ ନୟାପଲ୍ଲିରେ ଥିବା ଏହି ଘରକୁ ଲୁଲୁ ମହାପାତ୍ରଙ୍କ ଜ୍ୱାଇଁ ଶୁଭ୍ରାଂଶୁ ବିଶ୍ୱାଳ କିଣିଥିଲେ । ଘରର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଣବ ରାୟ ଭଡା ସୂତ୍ରରେ ରହୁଥିବାବେଳେ କନଷ୍ଟ୍ରକସନ କମ୍ପାନିର ଅଫିସ କରି ଏହାର ଇଂଟେରିୟର ଡିଜାଇନ ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ତାଙ୍କ ଘର ଛାଡିବାକୁ କୁହାଯାଇଥିବାବେଳେ ସେ, କୋର୍ଟଙ୍କ ସ୍ଥିତାବସ୍ଥା ଥିବା ଦର୍ଶାଇ ଛାଡିନଥିଲେ । ଏହାପରେ ଜୋରଜବଦସ୍ତ ଘର ଖାଲି କରିବାକୁ ଏହିଭଳି ଗୁଣ୍ଡା ଲଗାଇ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।