ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ : ମୃତଦେହ ଛାଡ଼ିବାକୁ ଫୋନ କରି ଅର୍ଥ ମାଗୁଛନ୍ତି ଦୁର୍ବୃତ୍ତ

1,818

କନକ ବ୍ୟୁରୋ : ତାମିଲନାଡୁରେ ଜଣେ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ବାରିଆପଦା ଗାଁର ଶରତ ପରିଛା ପ୍ରାୟ ବର୍ଷେ ତଳେ କାମ କରିବାକୁ ତାମିଲନାଡୁ ଯାଇଥିଲେ । ତାମିଲନାଡୁର ତୁତକୁଡ଼ି ଅଞ୍ଚଳରେ କାବିଲପାଟା ଯାଇଥିଲେ ଶରତ ।

ତେବେ ୫ ତାରିଖ ଦିନ ତାଙ୍କ ଶାଶୂଙ୍କ ପାଖକୁ ଏକ ଭିଡିଓ କଲ ଆସିଥିଲା । ଆଉ ଏହି କଲରେ ଶରତଙ୍କୁ ଏକ ଅନ୍ଧାରିଆ କୋଠରୀରେ ମାଡ଼ ମରାଯାଉଥିବାର ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କ ପରିବାର ଲୋକଙ୍କୁ ହ୍ୱାଟସଆପରେ ଆଉ ଏକ କଲ୍ ଆସିଥିଲା । ଏଥିରେ କଲ୍ କରିଥିବା ଲୋକ ଶରତଙ୍କୁ ହତ୍ୟା କରିଥିବା କହିଥିଲେ, ଏହା ସହ ୧୫ ହଜାର ଟଙ୍କା ପଠାଇଲେ ତାଙ୍କ ମୃତଦେହ ଓଡ଼ିଶା ଛଡ଼ାଯିବ ବୋଲି କହିଥିଲେ ।

ଏହାସହ ହ୍ୱାଟ୍ସଆପରେ ପରିବାର ଲୋକଙ୍କ ପାଖକୁ ଶରତଙ୍କର କିଛି ଫାଟୋ ମଧ୍ୟ ଆସିଛି । ଏହାପରେ ଭୟଭୀତ ହୋଇପଡ଼ିଥିବା ଶରତଙ୍କ ପରିବାର ଲୋକ ତୁରନ୍ତ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସ୍ଥାନୀୟ ପୁଲିସ୍ ଅଧିକାରୀ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଥିଲେ । ହେଲେ କେଉଁ ଜାଗାରୁ କଲ୍ ଆସିଥିଲା, ତାହା ଏଯାଏଁ ଟ୍ରେସ୍ କରାଯାଇ ପାରି ନାହିଁ ।