ତାତିରୁ ମିଳିବ ମୁକ୍ତି : ବର୍ଷାରେ ଭିଜିବ ଦୋଳ ଓ ହୋଲି; ଓଡ଼ିଶାର କିଛି ଜିଲ୍ଲାରେ ଆଜି ଓ କାଲି ହୋଇପାରେ ବର୍ଷା

346

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ଆଜିଠାରୁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । କାରଣ ଆଜି ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ କାଲି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଏବଂ ୯ ଓ ୧୦ ତାରିଖରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ପାଣିପାଗ କେନ୍ଦ୍ରର କହିବା ଅନୁସାରେ ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ବି ଏହି ସବୁ ଜିଲ୍ଲାରେ କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ । ଫଳରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

ମାର୍ଚ୍ଚ ୮ରୁ ୧୦ ତାରିଖ ମଧ୍ୟରେ ପାଗର ପରିବର୍ତ୍ତନ ‌‌ହେବ । ୮ ତାରିଖରେ କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା, ୯ ତାରିଖରେ ଛତିଶଗଡ଼ ସୀମାନ୍ତ ଜିଲ୍ଲା ଓ ୧୦ ତାରିଖରେ ଉଭୟ ପଶ୍ଚିମ ଓ ଦକ୍ଷିଣ ଆଭ୍ୟନ୍ତରରେ ପାଗ ମେଘୁଆ ରହିବ । ରାଜ୍ୟର ଅନ୍ୟସ୍ଥା‌ନରେ ପାଗ ଆଂଶିକ ମେଘୁଆ ରହିପାରେ। ୧୦ ତାରିଖରେ ଆଭ୍ୟନ୍ତର ଦକ୍ଷିଣ ଓ ଉତ୍ତରରେ ଅଳ୍ପ କେତୋଟି ସ୍ଥାନରେ ବର୍ଷା ହୋଇପାରେ । ଭୁବନେଶ୍ବରରେ ବର୍ଷା ସମ୍ଭାବନା କମ୍‌ । ସମ୍ଭବତଃ ୮ରୁ ୧୦ଟା ତାରିଖ ମଧ୍ୟରେ ପାଗ ଆଂଶିକ ମେଘୁଆ ରହିବ ।