ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ଏଏସଆଇର ରହସ୍ୟମୟ ନୀରବତା । କୋର୍ଟରେ ଦେଲେନି ତଥ୍ୟ. ମାଗିଲେ ସମୟ । ସାଂସଦ ଅପରାଜିତାଙ୍କ ସମର୍ଥନରେ ବିଶାଳ ପଦଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି!

140

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆସନ୍ତା ମାସକୁ ଘୁଞ୍ଚିଛି । ବିଭିନ୍ନ ସମୟରେ ଚିଠି ଲେଖି କାମ ବନ୍ଦ କରିବାକୁ କହୁଥିବା ଏଏସଆଇର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଦାଖଲ ପାଇଁ ଅଧିକ ସମୟ ମଗାଯିବାରୁ କୋର୍ଟ ଶୁଣାଣିକୁ ବିଳମ୍ବିତ କରିଛନ୍ତି । ରାଜ୍ୟ ସରକାରଙ୍କ ସହ ଯୁଗ୍ମ ବିଶେଷଜ୍ଞ ଦଳ ଗଠନ କରି ପରିଦର୍ଶନ ପରେ ରିପୋର୍ଟ ଦେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଶ୍ରୀମନ୍ଦିର ଏଏସଆଇ ଏଡିଜି ମଧ୍ୟ ମୁହଁ ଖୋଲି ନାହାଁନ୍ତି । ଯାହକି ଏଏସଆଇର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଛି । ହେଲେ, ବିଡମ୍ବନାର କଥା ହେଉଛି, ଯେଉଁ ପ୍ରସଙ୍ଗକୁ ନେଇ କୋଟି କୋଟି ଓଡିଆଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଛିି, ସେହି ପ୍ରସଙ୍ଗରେ କୋର୍ଟଙ୍କୁ କୌଣସି ରିପୋର୍ଟ ନଦେଇ ଅଧିକ ସମୟ ମାଗିଛି ଭାରତୀୟ ପ୍ରତ୍ନତତ୍ୱ ବିଭାଗ । ଏହି କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ କୁହାଯାଇଛି ମନ୍ଦିର ଚତୁଃପାଶ୍ୱର୍ରେ ଖନନ ଓ ନିର୍ମାଣ ମାମଲା ନେଇ ବିସ୍ତୃତ ତଥ୍ୟ ରଖିବା ପାଇଁ ଅଧିକ ସମୟ ଦିଆଯାଉ । ଆଉ କୋର୍ଟ ଏଏସଆଇର ଅନୁରୋଧକୁ ଗ୍ରହଣ କରି ସମୟ ବି ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଓ ଏଏସଆଇର ବିଶେଷଜ୍ଞ ଟିମ ଦ୍ୱାରା ପ୍ରକଳ୍ପ ସ୍ଥଳକୁ ଯାଇ ମିଳିତ ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତିି ।

ଶ୍ରୀମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ କାର୍ଯ୍ୟ ବନ୍ଦ କରିବାକୁ ଫେବ୍ରୁଆରୀ ମାସରେ ଚିଠି ଲେଖିଥିଲେ ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ । ହେଲେ, ଏବେ ଚିଠିରେ ଲେଖିଥିବା କଥାକୁ ବି କୋର୍ଟରେ ଉପସ୍ଥାପନ କରିନି ଏଏସଆଇ । ଯାହାକି ସନ୍ଦେହକୁ ବଢ଼ାଇ ଦେଇଛି । ଶ୍ରୀମନ୍ଦିର ଚାରିପଟେ ବେଆଇନ ଭାବେ ଖନନ କରାଯାଉଥିବା ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଗତ ୮ତାରିଖରେ ମାମଲାର ଶୁଣାଣି କରି ୧୭ତାରିଖ ସୁଦ୍ଧା ପକ୍ଷ ରଖିବା ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ଏଏସଆଇର ନୀରବତା ଯୋଗୁଁ ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିନାହାଁନ୍ତିି କୋର୍ଟ । ଅର୍ଥାତ ଏବେ ନିର୍ମାଣ କାର୍ଯ୍ୟ ଯେମିତି ଚାଲୁଥିଲା ସେମିତି ଚାଲିବ । ଆଉ ପରବର୍ତି ଶୁଣାଣି ବେଳକୁ କାର୍ଯ୍ୟ ଶେଷ ହୋଇଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅନ୍ୟପଟେ ପୁରୀ ପ୍ରକଳ୍ପ ସ୍ଥଳରେ ବୁଲି ଦେଖିବା ପରେ ବି ଏଏସଆଇ ଅଧିକାରୀ କିଛି କହିନାହାଁନ୍ତି । ପୁରୀରେ ପହଁଚିଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏଏସଆଇର ନୀରବତା ଓ ରାଜ୍ୟ ସରକାରଙ୍କ ଆଭୁମୁଖ୍ୟକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏପରିକି ଆଗକୁ ଭୁବନେଶ୍ୱର ସାଂସଦଙ୍କ ପରୋକ୍ଷ ସମର୍ଥନରେ ଏକ ବଡ ଧରଣର ପଦଯାତ୍ରା କରିବାକୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି ।