କମ୍ପାନୀ ପାଉଛନ୍ତି ଲାଭ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା । ବର୍ଜ୍ୟବସ୍ତୁ ପରିଚାଳନାରେ କମ୍ପାନୀ ଫେଲ୍ । ନିୟମର ଖୋଲାଖୋଲି ଉଲ୍ଲଙ୍ଘନ, ପ୍ରଶାସନ ବେଖବର

245

କନକ ବ୍ୟୁରୋ: ଝାରସୁଗୁଡାରେ ପ୍ରଚାର ଜୋର ହୋଇଛି । କିନ୍ତୁ ଗୋଟିଏ ପ୍ରସଙ୍ଗକୁ ସବୁଦଳ ଭୁଲିଯାଇଛନ୍ତି , ଯାହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି । କଳକାରଖାନାର ପାଉଁଶ ଗଦା ଉପରେ ଠିଆ ହୋଇଛି ସହର । ଯୁଆଡେ ଦେଖିବ ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପାଣି ଓ ଚାଷଜମିରେ ପଶି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପାଉଁଶ ଧୂଆଁ ଉଡିବା ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

  • ଝାରସୁଗୁଡାରେ ପାଉଁଶ ଗଦାର ଜୀବନ
  • କମ୍ପାନୀ ପାଉଛନ୍ତି ଲାଭ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା

ଝାରୁସୁଗୁଡାରେ ଏବେ ଉପନିର୍ବାଚନର ମାହୋଲ । ୧୦ ତାରିଖର ଭୋଟ ପାଇଁ ଉଠୁଛି ପଡୁଛି ନିର୍ବାଚନମଣ୍ଡଳୀ । ନେତା ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଅଣନିଶ୍ୱାସୀ ହୋଇପଡୁଥିବା ଝାରୁସୁଗୁଡା କେବେ ପ୍ରଦୂଷଣମୁକ୍ତ ହେବେ ସେ ବିଷୟରେ ଆଲୋଚନା ନାହିଁ । ପ୍ରସଙ୍ଗ ହେଉଛି କଳକାରଖାନାରୁ ନିର୍ଗତ ପାଉଁଶ, ଧୂଆଁ ଓ ପ୍ରଦୂଷଣ । ସହର ଉପକଣ୍ଠକୁ ଲାଗିରହିଥିବା କାତିକେଲା, ଭାଗିପାଲି ଓ ପରମାଣୁପୁରରେ ସ୍ଥିତି ସଙ୍ଗୀନ ହୋଇପଡିଛି । କନକ ନ୍ୟୁଜ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିବାବେଳେ ପହଞ୍ଚିିଥିଲା କୋଲାବିରା ବ୍ଲକ ପରମାଣୁପୁର ଗାଁରେ । ଯୁଆଡେ ଦେଖିବେ ଖାଲି ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପ୍ରଭାବରେ ଦହଗଞ୍ଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ମୌସୁମୀ ଋତୁରେ ବର୍ଷା ହେଲେ ଏହି ପାଉଁଶ ପାହାଡ ଧସି ନଦୀନାଳ ଓ ଚାଷଜମିରେ ପଶିବା ଫଳରେ ଲୋକେ ପ୍ରଭାବିତ ହେବା ସହ ଚାଷ ମଧ୍ୟ ପ୍ରଭାବିତ ହେଉଛି । ଅନ୍ୟ ସମୟରେ ପବନରେ ପାଉଁଶ ଉଡିବା ଫଳରେ ଚର୍ମରୋଗ, ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହେଉଛି ।

  • ବର୍ଜ୍ୟବସ୍ତୁ ପରିଚାଳନାରେ କମ୍ପାନୀ ଫେଲ୍
  • ନିୟମର ଖୋଲାଖୋଲି ଉଲ୍ଲଙ୍ଘନ, ପ୍ରଶାସନ ବେଖବର

ଶିଳ୍ପନଗରୀ ଝାରସୁଗୁଡାରେ ବିଭିନ୍ନ କୋଇଲାଖଣି ଓ ତାପଜ ବିଦ୍ୟୁତ କେନ୍ଦ୍ରରରୁ ଗଦା ଗଦା ପାଉଁଶ ନିର୍ଗତ ହେଉଛି । ଆଉ କମ୍ପାନୀଗୁଡିକ ନିୟମ ମାନୁନାହାନ୍ତି । ଫ୍ଲାଏଆସ ପରିଚାଳନା ପାଇଁ ସ୍ୱତନ୍ତ୍ର ନିୟମ ରହିଛି । କିନ୍ତୁ ପ୍ରଶାସନର ଗଳାବାଟ ଦେଇ ଲୋ-ଲ୍ୟାଣ୍ଡ ଫିଲିଙ୍ଗ ନାଁରେ ଖୋଲାଖୋଲି ଗାଁ ଜନବସତି ପାଖରେ ଫ୍ଲାଏଆସ୍ ଡମ୍ପିଂ କରୁଛନ୍ତି କମ୍ପାନୀ । ଝାରୁସୁଗୁଡାରେ ଦ୍ରୁତ ଶିଳ୍ପାୟନ ସହ ପ୍ରଦୂ,ଣ ବି ବଢି ଚାଲିଛି । ପ୍ଲାଇଆସରେ ବିଷାକ୍ତ ଅକ୍ସାଇଡ ରହିଛି ଯାହା ମନୁଷ୍ୟ ଓ ଜୀବଜନ୍ତୁ ପାଇଁ ବିରଦପୂଣ୍ଣ ର୍ । ପାଉଁଶ ପାଇଁ କମ୍ପାନୀଗୁଡିକ ବେଆଇନ ଆସପଣ୍ଡ ତିଆରି କରୁଛନ୍ତି । ବିଷାକ୍ତ ପାଉଁଶ ପାଣିରେ ମିଶିବା ଫଳରେ ଲୋକେ ରୋଗରେ ପଡୁଛନ୍ତି । ପଶୁପକ୍ଷୀ ମରୁଛନ୍ତି । ବର୍ଷାହେଲେ ସ୍ଥିତି ଆହୁରି ଭୟଙ୍କର ହୋଇପଡୁଛି । ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିବାଫଳରେ ଏକର ଏକର ଜମିରେ ଫସଲ ନଷ୍ଟ ହେଉଛି ।

ନିୟମ ଅନୁସାରେ, ସହରଠାରୁ ଦୂରରେ ଡମ୍ପିଂୟାର୍ଡ ହେବାକଥା । କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି । ଫଳରେ ଝାରସୁଗୁଡାରେ ପାଉଁଶ ଓ ବେଆଇନ ଆସପଣ୍ଡ ନିର୍ମାଣ ସ୍ଥାନୀୟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଏହିପ୍ରସଙ୍ଗରେ କନକ ନ୍ୟୁଜ ପ୍ରଶ୍ନ କରିବାକୁ ନେତାମାନେ ଖୁବଶୀଘ୍ର ସମାଧାନ ହେବ କହି ଦାୟିତ୍ୱ ଏଡାଇ ଦେଇଛନ୍ତି । ଆଉ ସବୁଠାରୁ ବଡ କଥା ହେଲା, ପ୍ରଶାସନ ସବୁ ଜାଣି ନଜାଣିଲା ଭଳି ଅଭିନୟ କରୁଛି ।