ବ୍ରିଟେନରେ କିଙ୍ଗ ଚାର୍ଲସ ତୃତୀୟଙ୍କ ରାଜ୍ୟାଭିଷେକ, ବହୁମୂଲ୍ୟ ମୁକୁଟ ପିନ୍ଧି ରୀତିନିତି ସହ ଅଭିଷିକ୍ତ ହେଲେ ଚାଲର୍ସ

93

କନକ ବ୍ୟୁରୋ : ବ୍ରିଟେନରେ ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ । ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟାଭିଷେକ ହୋଇଛି । ସମାରୋହରେ ଚାର୍ଲସ୍ ରାଜକୀୟ ମୁକୁଟ ପରିଧାନ କରିଛନ୍ତି । ଉତ୍ସବର ମୁଖ୍ୟ ଆକର୍ଷଣ ରାଜା ଚାର୍ଲସ୍ ଓ ତାଙ୍କ ପତ୍ନୀ ରାଣୀ କାମିଲା ପ୍ରଥମେ ବଙ୍କିମହାମ ରାଜପ୍ରସାଦରୁ ୱେଷ୍ଟମିନିଷ୍ଟର ଆବେ ପହଂଚିଥିଲେ । ଉଭୟଙ୍କୁ ଭେଟିବାକୁ ରାସ୍ତାରେ ହଜାର ହଜାର ବ୍ରିଟେନବାସୀ ଜମାହୋଇଥିଲେ । ଆର୍କବିଶପ ଅଫ୍ କାଂଟବେରୀ ୱେଷ୍ଟମିନିଷ୍ଟର ଆବେରେ  ଚାର୍ଲସଙ୍କୁ ବିଧିବଦ୍ଧ ଭାବେ ବ୍ରିଟେନର ରାଜା ଭାବେ ଅଭିଷିକ୍ତ କରିଛନ୍ତି । ଏଅବସରରେ ଦେଶର ୧୩ଟି ଜାଗାରୁ ଗନ୍ ସାଲ୍ୟୁଟ ଦିଆଯାଇଛି । ଏଡିନବର୍ଗ, କାର୍ଡିଫ ଏବଂ ବେଲଫାଷ୍ଟରୁ ସ୍ୱତନ୍ତ୍ର ସାଲ୍ୟୁଟ ଦିଆଯିବା ସହ ବ୍ରିଟିଶ ନୌଜାହାଜରୁ ମଧ୍ୟ ତୋପସଲାମୀ ଦିଆଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ କହିଛନ୍ତି ଯେ, ଏହି ଉତ୍ସବ ବ୍ରିଟେନର ସମୃଦ୍ଧ ଇତିହାସ, ସଂସ୍କୃତି ଓ ପରମ୍ପରାକୁ ବୁଝାଉଛି ।

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଗତବର୍ଷ ସେପ୍ଟେମ୍ବର ୮ରେ ୭୪ ବର୍ଷୀୟ ଚାର୍ଲସଙ୍କୁ ବ୍ରିଟେନର ରାଜା ଭାବେ ଘୋଷଣା କରାଯାଇଥିଲା । ଏଲିଜାବେଥ ଦ୍ୱିତୀୟଙ୍କ ରାଜ୍ୟାଭିଷେକ ୧୯୫୩ରେ ଧୁମଧାମରେ ହୋଇଥିଲା । ଏହାର ୭୦ ବର୍ଷ ପରେ ବ୍ରିଟେନ ରାଜ ପରିବାରରେ ଏପରି ଉତ୍ସବ ଅନୁଷ୍ଠିତ ହେଉଛି ।

କିଙ୍ଗ ଚାର୍ଲସଙ୍କ ତୃତୀୟଙ୍କ ସିଂହାସନ ଆରୋହଣ ସମାରୋହରେ ରାଜପରିବାରର ସବୁ ସଦସ୍ୟ ଯୋଗଦେଇଥିଲେ । ତେବେ କେବଳ ଜଣେ ପ୍ରମୁଖ ସଦସ୍ୟ ଚାଲର୍ସଙ୍କ ସାନ ବୋହୂ ମେଘାନ ଯୋଗ ଦେଇନଥିଲେ । ବରଂ ସାନ ପୁଅ ପ୍ରିନ୍ସ ହ୍ୟାରୀ ଏକାକୀ ଚାର୍ଲସଙ୍କ ସମାରୋହରେ ଯୋଗ ଦେଇଥିଲେ । ପ୍ରିନ୍ସ ହ୍ୟାରୀ ଓ ମେଘାନଙ୍କର ଏବେ ରାଜ ପରିବାର ସହ ବିବାଦ ଚାଲିଛି ଓ ଉଭୟ ଏବେ ଆମେରିକାରେ ରହୁଛନ୍ତି ।

ଚାଲର୍ସଙ୍କ ରାଜ୍ୟାଭିଷେକ ପାଇଁ ବିଶ୍ୱର ବହୁ ନାମୀଦାମୀ ବ୍ୟକ୍ତି ବ୍ରିଟେନରେ ପହଂଚିଥିଲେ । ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ନିମନ୍ତ୍ରଣ ପାଇଁ ଏବେ ସମାରୋହରେ ସାମିଲ ହୋଇଥିଲେ । ରାଜ୍ୟାଭିଷେକ ପାଇଁ ବ୍ରିଟେନ ଓ ଲଣ୍ଡନରେ ୩ ଦିନିଆ ଉତ୍ସବ ପାଳିତ ହେବ ।