ଗୁଜରାଟ ନିର୍ବାଚନ ପୂର୍ବରୁ ‘ନୋଟ୍’ କୁ ନେଇ ରାଜନୀତି । କେଜ୍ରିୱାଲ କହିଲେ ନୋଟରେ ରହୁ ଲକ୍ଷ୍ମୀ-ଗଣେଶଙ୍କ ଫଟୋ

58

କନକ ବ୍ୟୁରୋ : ଡଲାର ତୁଳନାରେ ଲଗାତର ଟଙ୍କାର ଅବମୂଲ୍ୟାୟନ ଜାରି ରହିଛି । ବିଶ୍ୱ ବଜାରରେ ଅଧିକାଂଶ କାରବାର ଆମେରିକୀୟ ଡଲାରରେ ହେଉଥିବାବେଳେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ମହଙ୍ଗା ସାବ୍ୟସ୍ତ ହେଉଛି । ଭାରତ ମୁଖ୍ୟତଃ ଏକ ଆମଦାନିକାରୀ ଦେଶ ହୋଇଥିବାରୁ ଟଙ୍କାର ଅବମୂଲ୍ୟାୟନ ଭାରି ବାଧୁଛି । ଏତିକି ବେଳେ ଏକ ନୂଆ ଚାଲ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କେମିତି ଟଙ୍କା ଭଲ ପ୍ରଦର୍ଶନ କରିବ ଓ ଟଙ୍କାର ମୂଲ୍ୟ ଉପରକୁ ଉଠିବ ସେନେଇ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ ।

ଆଗକୁ ଗୁଜୁରାଟ ନିର୍ବାଚନ । ଠିକ୍ ଏହା ପୂର୍ବରୁ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ବୁଧବାର କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ନିକଟରେ ଏକ ବଡ ଅପିଲ କରିଛନ୍ତି । ଭାରତୀୟ ନୋଟରେ ଗାନ୍ଧିଜୀଙ୍କ ସହ ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କ ଫଟୋ ମଧ୍ୟ ରହୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପଛରେ ନିଜର ଏକ ତର୍କ ମଧ୍ୟ ସେ ରଖିଛନ୍ତି ।

କେଜ୍ରିୱାଲଙ୍କ ଯୁକ୍ତି ହେଲା, ଯେତେ ପରିଶ୍ରମ କଲେ ମଧ୍ୟ ଦେବାଦେବୀଙ୍କ ଆଶୀର୍ବାଦ ନମିଳିଲେ ଜଣେ ଭଲ ପ୍ରଦର୍ଶନ କରିପାରିବ ନାହିଁ । ଭାରତରେ ଭିତିଭୂମିର ଅଭାବ ରହିଛି । ସେଥିପାଇଁ ଭାରତ ଏକ ଗରିବ ଓ ବିକାଶଶୀଳ ଦେଶ ହୋଇ ରହିଆସିଛି । ଏହି ଅପବାଦରୁ ମୁକ୍ତି ପାଇଁ ଶତ ଚେଷ୍ଟା ସତ୍ୱେ ସଫଳତା ମିଳିପାରୁ ନାହିଁ । ତେଣୁ ତାଙ୍କ ପ୍ରସ୍ତାବ ହେଲା, ଟଙ୍କା ବା ନୋଟ ଉପରେ ଧନଦେବୀ ଲକ୍ଷ୍ମୀ ଓ ବିଘ୍ନ ନାଶକ ଗଣେଶଙ୍କ ଫଟୋ ରଖିଲେ ଭାରତୀୟ ମୁଦ୍ରାର ମୂଲ୍ୟ ବୃଦ୍ଧି ପାଇବ । କେଜ୍ରିୱାଲଙ୍କ ଅପିଲକୁ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଦଳ କହିଛି ଆପ୍ ମୁଖିଆଙ୍କ ମତିଭ୍ରମ ହୋଇଛି । ନିର୍ବାଚନ ଥିବାରୁ ହିନ୍ଦୁତ୍ୱକାର୍ଡ ଖେଳି ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି କେଜ୍ରିୱାଲ ।

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ, ଏବଂ ଗୁଜରାଟରେ ଆମ ଆଦମୀ ପାର୍ଟି ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡା ହୋଇଥିବାରୁ ଏହି ନୂଆ ଚାଲ ଖେଳିଛନ୍ତି କେଜ୍ରିୱାଲ । ହିନ୍ଦୁତ୍ୱ ବିଚାରଧାରରେ ବିଶ୍ୱାସ କରୁଥିବା ବିଜେପିକୁ କାଉଁଟର କରିବା ପାଇଁ ଏହା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ଗୋଟି ଚାଳନା ବୋଲି କୁହାଯାଉଛି । ନୋଟ ଉପରେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରଖିବା କଥା କହି ହିନ୍ଦୁ ଭୋଟ ଧ୍ରୁବିକରଣ ପାଇଁ କେଜ୍ରିୱାଲ ଏହି ଚାଲ ଖେଳି ଥାଇପାରନ୍ତି ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଛନ୍ତି ।