ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ମାମଲା, ଗୁଜରାଟ ହାଇକୋର୍ଟର ରାୟ ପରେ ପୁଣି ପ୍ରଶ୍ନ ଉଠାଇଲେ କେଜ୍ରିୱାଲ

295

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କିଛିଦିନ ହେବ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ନେଇ ମୋଦୀଙ୍କ ଉପରେ ଜୋରଦାର ଆକ୍ରମଣ କରିବାରେ ଲାଗିଛନ୍ତି । ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ପୁଣିଥିରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ଦେଶର ପ୍ରଧାନମନ୍ତ୍ରୀ ଶିିକ୍ଷିତ ହେବା ଜରୁରୀ । ଏହାସହ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ତାଙ୍କୁ ବିଚଳିତ କରିଥିବା କଥା ସେ କହିଛନ୍ତି । କେଜ୍ରିୱାଲ କହିଛନ୍ତି କି ଶିକ୍ଷିତ ଲୋକ କେବେ ବି ନାଳରୁ ଗ୍ୟାସ ବାହାର କରିବା କଥା କହିବେ ନାହିଁ । ଏହାସହ ବାଦଲ ପଛରେ ରାଡାର କେବେ ବି ଆକ୍ରମଣ କରିବା କଥା ଜଣେ ଶିକ୍ଷିତ ଲୋକ କହିବ ନାହିଁ । ଏଣୁ ପ୍ରଧାନମନ୍ତ୍ରୀଙ୍କୁ ବିଜ୍ଞାନ ବାବଦରେ କିଛି ଜଣାନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।

ସେପଟେ ଗୁଜରାଟ ହାଇକୋର୍ଟର ରାୟ ଉପରେ କେଜ୍ରିୱାଲ କହିଛନ୍ତି କି, ଏହି ରାୟରେ ଗୁଜରାଟ ହାଇକୋର୍ଟ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ଲୋକମାନଙ୍କ ପାଇଁ ଜରୁରୀ ନୁହେଁ । କୋର୍ଟଙ୍କ ଏଭଳି ବୟାନ ଲୋକଙ୍କୁ ସ୍ତବ୍ଧ କରିଛି ବୋଲି ସେ କହିଛନ୍ତି । ତେଣୁ ଶିକ୍ଷିତ ଓ ଅଶିକ୍ଷିତଙ୍କ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ବୋଲି କୋର୍ଟ ପ୍ରମାଣିତ କରିଥିବା କଥା କେଜ୍ରିୱାଲ କହିଛନ୍ତି । କାନାଡାରେ ଏ ପ୍ଲସ ବି କୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ଓ ପରିବେଶ ପରିବର୍ତ୍ତନ କିଛି ନୁହେଁ ଭଳି ବୟାନ ଦେବା ପରେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନ ଉଠୁଥିବା କଥା କେଜ୍ରିୱାଲ କହିଛନ୍ତି ।