ସମ୍ବଲପୁର ହିଂସା ଘଟଣାରେ ବଢ଼ୁଛି ଗିରଫଦାରୀ। ୮୫ରେ ପହଞ୍ଚିଲା ଗିରଫଦାରୀ ସଂଖ୍ୟା, ବଢ଼ିପାରେ ସଂଖ୍ୟା।

715

କନକ ବ୍ୟୁରୋ: ସମ୍ବଲପୁର ସହରରେ ସ୍ୱାଭାବିକ୍ ସ୍ଥିତି ଫେରାଇ ଆଣିବା ପାଇଁ ଯଥୋଚିିତ ଉଦ୍ୟମ କରୁଛି ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ । ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ଗୋଟିଏ ପରେ ଘନଘନ ବୈଠକ ବସୁଛି, ଆଉ ଗୋଟିଏ ପଟେ ପୁଲିସ୍ ପହରା ଭିତରେ ରହିଛି ସମ୍ବଲପୁର ସହର । ସହରରେ କର୍ଫ୍ୟୁ ବଳବତର ରହିଛି, ଇଣ୍ଟରନେଟ୍୍ ସେବାକୁ ଆହୁରି ୨୪ ଘଣ୍ଟା ବନ୍ଦ ରଖାଯାଇଛି ଏବଂ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କୋହଳ କଟକଣାର ଅବଧିକୁ ବଢ଼ାଇ ଦିଆଯାଇଛି । ଆଉ ଏହାରି ଭିତରେ ହିଂସାକାଣ୍ଡରେରେ ସମ୍ପୃକ୍ତ ଥିବା ଲୋକଙ୍କ ସଂଖ୍ୟ ବଢ଼ିବାରେ ଲାଗିଛି ।

ସମ୍ବଲପୁର ସହରର ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ନୋ-ଟଲରେନ୍ସ ନୀତି ଆପଣାଇଛି ଜିଲ୍ଳା ପ୍ରଶାସନ । ୧୨ ତାରିଖ ପଥରମାଡ଼ ଘଟଣାରେ ଆଉ ୩ଜଣଙ୍କ ବାନ୍ଧିଛି ପୁଲିସ୍ । ସେହିପରି ୧୪ ତାରିଖ ଦୋକାନ ଭଙ୍ଗାରୁଜା ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଗିରଫଦାରୀ ସଂଖ୍ୟା ୮୫କୁ ଛୁଇଁଛି । କେବଳ ସେତିକି ନୁହେଁ ସିସିଟିଭି ଓ ଭିଡିଓ ଫୁଟେଜ୍ ଆଧାରରେ ଆଉ କିଛି ଲୋକଙ୍କୁ ଚିହ୍ନଟ କରିଛି ସମ୍ବଲପୁର ପୁଲିସ । ଏହି ଗିରଫଦାରୀ ସଂଖ୍ୟା ବଢ଼ିବାର ମଧ୍ୟ ସମ୍ଭାବନା ରହିଛି । ଏପଟେ ସମ୍ବଲପୁର ସହରରେ କର୍ଫ୍ୟୁ କଟକଣା ଆହୁରି କୋହଳ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ପୂର୍ବରୁ ୨ ଘଂଟିଆ କୋହଳ କରାଯାଇଥିଲା । ଏହାର ସମୟ ଅବଧିକୁ ବୃଦ୍ଧି କରାଯାଇଛି । ସକାଳେ ସାଢ଼େ ୭ରୁ ୧୧ ଏବଂ ଅପରାହ୍ନରେ ସାଢ଼େ ୩ଟାରୁ ୬ଟା ଯାଏଁ କର୍ଫ୍ୟୁ କଟକଣା କୋହଳ କରାଯାଇଛି ।

ଏସବୁ ଭିତରେ ହନୁମାନ ଜୟନ୍ତୀ ବାଇକ୍ ରାଲି ସମୟରେ ଘଟିଥିବା ହିଂସାକାଣ୍ଡ ନେଇ ବରେଇପାଲି ଥାନା ଆଇଆଇସି ଧୀରେନ୍ଦ୍ର କୁମାର ସ୍ୱାଇଁ ଦାଖଲ କରିବା ଲିଖିତ ଅଭିଯୋଗରେ ଚିନ୍ତାଜନକ ତଥ୍ୟ ରଖିଛନ୍ତି । ଏଥିରେ କୁହାଯାଇଛି- ବାଇକ୍ ରାଲି ମୋତିଝରନ୍ ଛକରେ ପହଞ୍ଚିବା ପରେ ଅଚନାକ୍ ଅନ୍ୟ ସମ୍ପ୍ରଦାୟର ୨୦୦ରୁ ଅଧିକ ଲୋକ ପହଞ୍ଚିଥିଲେ । ରାଲି କରି ଯାଉଥିବା ଲୋକଙ୍କୁ ଅଭଦ୍ର ଭାଷାରେ ଗାଳିଗୁଳଜ କରିବା ସହ ତୁରନ୍ତ ସେହି ଅଞ୍ଚଳ ଖାଲି କରିବାକୁ ଧମକ୍ ଦେଇଥିଲେ । ଏହି ସମୟରେ ଅଚନାକ୍ ସେମାନେ ହିଂସ୍ର ହୋଇଯିବା ସହ ରାଲି ଉପରେ ପଥର ମାଡ଼ କରିଥିଲେ । ପୁଲିସ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନେ ପୁଲିସ କର୍ମଚାରୀଙ୍କ କଥାକୁ ଶୁଣିନଥିଲେ । ପରେ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଲାଠି, ଲୁହା ରଡ୍ ଏବଂ ଖଣ୍ଡାରେ ରାଲିରେ ଯାଉଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ସମୟରେ ଆଇଆଇସି ଧନୁପାଲି, ଆଇଆଇସି ଟାଉନଥାନା ଏବଂ ମୁତୟନ ଥିବା ସୁରକ୍ଷାକର୍ମୀ ରକ୍ତାକ୍ତ ଆହତ ହୋଇଥିଲେ । ଏହା ପରେ ପୁଣି ଥରେ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ରାଲି ଉପରେ ପଥର ମାଡ଼ କରିବା ସହ ଆକ୍ରମଣ କରିଥିଲେ । ଏହି ଘଟଣା ପୂରା ଅଞ୍ଚଳକୁ ଆତଙ୍କର ପରିବେଶକୁ ଠେଲି ଦେଇଥିଲା । ଏହି ଘଟଣାରେ ୧୫୦ରୁ ୧୬୦ ଜଣ ପ୍ରତ୍ୟକ୍ଷଭାବେ ସମ୍ପୃକ୍ତ ଥିଲେ ବୋଲି ନିଜ ଏଫଆଇଆର୍ କପିରେ ଲେଖିଛି ପୁଲିସ ।