କରୋନାର ଦ୍ୱିତୀୟ ଲହରକୁ ନେଇ ମଧ୍ୟପ୍ରଦେଶରେ ପ୍ରଥମ ଲକଡାଉନ୍ । ବିନା କାରଣରେ ଘରୁ ବାହାରିଲେ ହେବେ ଗିରଫ୍ । ୩ ସହରରେ ଧାରା ୧୮୮ ଲାଗୁ କଲା ପ୍ରଶାସନ

669

କନକ ବ୍ୟୁରୋ : ଦୀର୍ଘ ୮ ମାସ ପୂର୍ବରୁ କରୋନା ଭାରତରେ ଯେତିକି କାୟା ବିସ୍ତାର କରିଥିଲା ଏବେ ପୁଣି ସମାନ ଅବସ୍ଥା ଦେଖା ଦେଇଛି । ଏନେଇ ମଧ୍ୟପ୍ରଦେଶର ୩ ଟି ମୁଖ୍ୟ ସହର ଭୋପାଳ, ଇନ୍ଦୋର ଓ ଜବଲପୁରରେ ପ୍ରଥମ ଲକଡାଉନ ଶନିବାର ରାତି ୧୦ ଟାରୁ ଆରମ୍ଭ ହୋଇଛି । ଏହି ଲକଡାଉନ ସୋମବାର ସକାଳ ୬ ଟା ଯାଏ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିନା କାରଣରେ ଘରୁ ବାହାରିଲେ ଗିରଫ୍ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରୀ କାଳୀନ ସେବାକୁ ଛାଡି ଅନ୍ୟ ସବୁସେବା ବନ୍ଦ ରହିବ ।

ପ୍ରଶାସନ ପକ୍ଷରୁ ଏହି ୩ ଟି ସହରରେ ଧାରା ୧୮୮ ଲାଗୁ କରାଯାଇଛି । ଏହି କାରଣରୁ ଯଦି ଆପଣ ବିନା କାରଣରେ ଘରୁ ବାହାରକୁ ବାହାରିବେ ତେବେ ପୋଲିସ ଆପଣଙ୍କୁ ସିଧା ଗିରଫ୍ କରିବ । ଅନ୍ୟପଟେ ମାର୍ଚ୍ଚ ୨୧ ତାରିଖରୁ ଏଠାରେ ଏମପିପିଏସସି ପରୀକ୍ଷା ଆରମ୍ଭ ହେଉଥିବାରୁ ପରିକ୍ଷାର୍ଥୀ ମାନେ ଆଡମିଟ୍ କାର୍ଡ ଦେଖାଇ ଯାଇ ପାରିବେ ବୋଲି କୁହାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୩୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ୭୭୮ ଜଣ ଇନ୍ଦୋର, ଭୋପାଳ ଓ ଜବଲପୁରରୁ ରହିଛନ୍ତି । ପୂର୍ବ ୭ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୪ ପ୍ରତିଶତ ବୃଦ୍ଧି ପାଇଛି ।

ଅନ୍ୟପଟେ ଜିଲ୍ଲାପାଳ ମାନେ ଆଦେଶ ଦେଇଛନ୍ତି କି ଯଦି କୌଣସି ବ୍ୟବସାୟୀ ଏହି ନିୟମକୁ ଉଲଙ୍ଘନ କରେ ତେବେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ସିଲ୍ କରିଦିଆଯିବ । ଏହାସହ ବ୍ୟବସାୟୀ ମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯିବ ।