ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା । ଅର୍ପିତାଙ୍କ ୩୧ଟି ଜୀବନବୀମା ପଲିସିରେ ନୋମିନି ଅଛନ୍ତି ପାର୍ଥ ଚାଟାର୍ଜୀ

155

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଦିନ ଯେତେ ଗଡୁଛି ଗିରଫ ଅଭିଯୁକ୍ତ ପାର୍ଥ ଏବଂ ଅର୍ପିତାଙ୍କ ମଧ୍ୟରେ ଥିବା ସମ୍ପର୍କ କେତେ ଗଭୀର ପଦାକୁ ଆସୁଛି । ଗତକାଲି ଉଭୟଙ୍କୁ ମୁହାଁମୁହିଁ ବସାଇ ଇଡି ଜେରା କରିଛି । ଏହି ସମୟରେ ଅନେକ ତଥ୍ୟ ଇଡି ହାତରେ ଲାଗିଛି । ଅର୍ପିତାଙ୍କ ବିିମାର ନୋମିନି ପାର୍ଥ । ଉଭୟ ସହଯୋଗୀ କୁହାଯାଉଥିଲେ ମଧ୍ୟ ଅର୍ପିତାଙ୍କ ବିମାର ନୋମିନିରେ ପାର୍ଥଙ୍କ ନାଁ ରହିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେଣୁ ଉଭୟଙ୍କ ମଧ୍ୟରେ ସମ୍ପର୍କ କେତେ ନିବିଡ ଏଇଥିରୁ ଅନୁମାନ କରିହେଉଥିବ ।

ଉଭୟଙ୍କ ନାଁରେ ଏକାଧିକ ସମ୍ପତ୍ତି ଥିବା ମଧ୍ୟ ପ୍ରମାଣ ମିଳିଛି । ଜବତ ହୋଇଥିବା ଦସ୍ତାବିଜରୁ ଜଣାପଡିଛି ଯେ ଉଭୟଙ୍କ ସହଭାଗିତା ୨୦୧୨ରେ ଏହି ଦୁର୍ନୀତି ଆରମ୍ଭ ହୋଇଥିଲା । ଏମାନେ ଏପିଏ ୟୁଟିଲିଟି ସର୍ଭିସେସ୍ ନାମରେ କମ୍ପାନୀ ପ୍ରତିଷ୍ଠା କରିଥିଲେ । ପରେ ଏହି କଂପାନୀ ନାଁରେ ସବୁକିଛି କିଣାବିକା ହେଉଥିଲା । ଅନ୍ୟପଟେ ଗୁରୁବାର ଅର୍ପିତା ମୁଖାର୍ଜୀଙ୍କ ଦକ୍ଷିଣ କୋଲକାତାର ପଣ୍ଡିତିଆ ରୋଡରେ ଥିବା ଏକ ଘରେ ଇଡି ତାଜା ଚଢାଉ କରିଥିଲା । ଜବତ ହୋଇଥିବା ଦସ୍ତାବିଜରୁ ଜଣାପଡିଛି ଅର୍ପିତା ତାଙ୍କ ତିନୋଟି କମ୍ପାନୀର ନିର୍ଦ୍ଦେଶକ ଭାବେ ତାଙ୍କ ଡ୍ରାଇଭର କଲ୍ୟାଣ ଧରଙ୍କୁ ରଖିଥିଲେ ।

ଆଜି ଉଭୟଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ତେଣୁ କୋର୍ଟରେ ପୁଣିଥରେ ଉଭୟଙ୍କୁ ହାଜର କରିବ ଇଡି । ଅର୍ପିତାଙ୍କ ଏକ ଘରୁ ଇଡିକୁ ଚାରିଟି ବଡ଼ ହାର, ୧୮ଟି କାନଫୁଲ, ଗୋଟିଏ ସୁନା କଲମ, ୫ଟି ମୁଦି ମିଳିଥିଲା । ଏହାର ଯାଂଚ କରାଯିବା ପରେ ସେ ସବୁ ଅଳଙ୍କାରରେ ‘ଏ’ ଲେଖାଥିବା ଦେଖାଯାଇଥିଲା । ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଫ୍ଲାଟରୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କଲା ପରେ ଇଡିର ନଜର ଏବେ ପଡ଼ିଛି ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଂଟ ଉପରେ । ଏଥିରୁ ୩ଟି ଆକାଉଣ୍ଟ ହେଉଛି ପାର୍ଥଙ୍କର ଏବଂ ୮ଟି ଅର୍ପିତାଙ୍କର ।