ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ସହ କ୍ରୀଡା ମନ୍ତ୍ରୀଙ୍କ ୫ ଘଣ୍ଟାର ବୈଠକ । ଅନୁରାଗ ଠାକୁର କହିଲେ, ଜୁନ ୧୫ ତାରିଖ ସୁଦ୍ଧା ଦିଲ୍ଲୀ ପୋଲିସ ପୂରା କରିବ ଯାଂଚ

90

କନକ ବ୍ୟୁରୋ : ଗୋଟିଏ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାଙ୍କ ସହ ଆଜି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବୈଠକ କରିଛନ୍ତି । ଏହି ବୈଠକରେ ଅଲମ୍ପିକରେ କାଂସ୍ୟପଦକ ବିଜେତା ବଜରଙ୍ଗ ପୁନିଆ ନେତୃତ୍ୱ ନେଇଥିଲେ । ସେ ଏକା ହିଁ ଅନୁରାଗ ଠାକୁରଙ୍କ ସହ କଥା ହୋଇଥିଲେ ।

ବୈଠକ ପରେ ଅନୁରାଗ ଠାକୁର କହିଛନ୍ତି କି ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାଙ୍କ ସହ ହୋଇଥିବା ବୈଠକ ଆଗକୁ ସମସ୍ୟାର ସମଧାନ କରିପାରିବ ବୋଲି ଅନୁମାନ କରାଯାଉଛି । ଏହା ସହ ବ୍ରିଜଭୂଷଣଙ୍କ ନାମରେ ହୋଇଥିବା ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ଜୁନ ୧୫ ତାରିଖ ସୁଦ୍ଧା ଯାଂଚ ସମାପ୍ତ କରିବ ବୋଲି ସେ କହିଛନ୍ତି । ମନ୍ତ୍ରୀ କହିଛନ୍ତି କି ଭାରତୀୟ କୁସ୍ତିସଂଘର ନିର୍ବାଚନ ନେଇ ମଧ୍ୟ ଆଲୋଚନା ହୋଇଛି । ଏହାସହ ୩ଥର ସଭାପତି ଥିବା ବ୍ରିଜଭୂଷଣ ସିଂଙ୍କୁ ଭାରତୀୟ କୁସ୍ତିସଂଘରୁ ଦୂରେଇ ରଖିବାକୁ କୁସ୍ତିଯୋଦ୍ଧାମାନେ ଦାବି କରିଥିବା କଥା ମଧ୍ୟ ଅନୁରାଗ ଠାକୁର କହିଛନ୍ତି ।

ସେପଟେ ଖେଳାଳୀ ଓ କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୋଲିସ ରୁଜୁ କରିଥିବା ମାମଲା ପ୍ରତ୍ୟାହାର ପାଇଁ ବଜରଙ୍ଗ ପୁନିଆ ଦାବି କରିଥିବା କଥା କ୍ରୀଡାମନ୍ତ୍ରୀ କହିଛନ୍ତି । ଏହାସହ ଆଲୋଚନା ଉଭୟଙ୍କ ସହମତିରେ ହୋଇଛି । ଏହାପରେ ଖେଳାଳୀମାନେ ସେମାନଙ୍କ ଲୋକଙ୍କ ସହ ଆଲୋଚନା କରିବେ ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ବୈଠକ ପରେ ପ୍ରଦର୍ଶନକାରୀ କୁସ୍ତିଯୋଦ୍ଧାମାନେ କହିଛନ୍ତି କି, ଜୁନ ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖାଯିବ । ଏହାସହ ସୂତ୍ର ସୂଚନା ମୁତାବକ ଅନୁରାଗ ଠାକୁର କୁସ୍ତିଯୋଦ୍ଧାଙ୍କୁ ଆଶ୍ୱାସନା ଦେଇଛନ୍ତି କି, ବ୍ରିଜଭୂଷଣଙ୍କ ବିରୋଧରେ ମଜବୁତ ଚାର୍ଜସିଟ୍ ପ୍ରସ୍ତୁତ କରାଯାଉଛି ।